କଥା ଦେଇ କଥା ରଖିଲେ ସୋନୁ । ସାଇକେଲରେ ବିହାରରୁ ମୁମ୍ବାଇ ଆସିଥିଲେ ଅରମାନ । ସାଇକେଲ ସହ ଅରମାନଙ୍କୁ ବିମାନରେ ବିଦା କଲେ ସୋନୁ

428

କନକ ବ୍ୟୁରୋ : କଥା ଦେଇ କଥା ରଖିଲେ ସୋନୁ ସୁଦ । ସାଇକେଲରୁ ବିହାରରୁ ମୁମ୍ବାଇ ଯାଉଥିବା ଫ୍ୟାନଙ୍କ ପାଇଁ କଲେ ଫ୍ଲାଇଟ ଟିକେଟ ବୁକ । ଏହାସହ ତାଙ୍କ ପାଇଁ ସ୍ୱତନ୍ତ୍ର ରୁମ ମଧ୍ୟ ରଖିଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ଫ୍ୟାନଙ୍କ ସହ ବସି କଥା ହୋଇଥିଲେ ସୋନୁ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇଯାଇଥିଲେ ପାଟନାର ଅରମାନ ଅଭିନେତା । ଦେଖନ୍ତୁ କେମିତି ସୋନୁଙ୍କ ସହ ବସି ଖୁସିରେ କଥା ହେଉଛନ୍ତି ବିହାରର ଅରମାନ ଅଭିନେତା ।

କେବଳ ଏତିକି ନୁହେଁ ଅରମାନଙ୍କୁ ବିହାର ଫେରିବା ପାଇଁ ଟିକେଟର ବ୍ୟବସ୍ଥା ମଧ୍ୟ କରିଥିଲେ ସୋନୁ । ଅରମାନଙ୍କ ସହ ତାଙ୍କ ସାଇକେଲ ମଧ୍ୟ ଫ୍ଲାଇଟରେ ପଠାଇଥିଲେ । ତେବେ ଜଣେ ଫ୍ୟାନଙ୍କ ପାଇଁ ଏଭଳି କାମକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ସୋନୁ ସୁଦ । ସୋନୁଙ୍କୁ ଦେଖା କରିବା ପରେ ଅରମାନ କହିଛନ୍ତି, ମୁଁ ମୋ ହିରୋଙ୍କୁ ଦେଖା କରି ବହୁତ ଗର୍ବ ଅନୁଭବ କରୁଛି । ମୁଁ ଏମିତି ଏକ ଲୋକଙ୍କୁ ଦେଖା କରି ଫେରିଛି ଯାହା ପଛରେ ପୂରା ଦୁନିଆ ପାଗଳ । ଆଉ ଆମ ବିହାର ବାସୀଙ୍କ ପାଇଁ ଭଗବାନଠୁ ବି କମ ନୁହନ୍ତି ସେ ।

ଅରମାନ ଅଭିନେତା । କିଛି ଦିନ ତଳେ ଏହି ବିହାର ଯୁବକ ଜଣକ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ । କାରଣ ସେ ସୋନୁଙ୍କୁ ଦେଖା କରିବାକୁ ସାଇକେଲରେ ପାଟନାରୁ ବାହାରିଥିଲେ ମୁମ୍ବାଇ । ଏହି ଖବର ପାଇବା ପରେ ଏହି ଫ୍ୟାନଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ ସୋନୁ । ଆଉ ଟିକେଟର ବ୍ୟବସ୍ଥା କରାଇ ତାଙ୍କୁ ନେଇ ଆସିଥିଲେ ମୁମ୍ବାଇ ।

ସୋନୁ ସୁଦ, ଏହି ମହାନ ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ଆଉ ପରିଚୟର ଆବଶ୍ୟକତା ନାହିଁ । କାରଣ ସାଧାରଣ ଗରିବ ଲୋକଙ୍କୁ ସହାୟତା କରି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ସୋନୁ ସୁଦ । ଲକଡାଉନ ବେଳେ ଯେତେବେଳେ ବାହାର ରାଜ୍ୟରେ ପ୍ରବାସୀମାନେ ଫସି ରହିଥିଲେ ସେତେବେଳେ ଆଗକୁ ଆସିଥିଲେ ସୋନୁ । ଆଉ ପ୍ରବାସୀଙ୍କୁ ବସରେ ଫେରାଇଥିଲେ ଘରକୁ । ଆଉ ଏହି ସହାୟତାକୁ ଭୁଲି ପାରୁନାହାନ୍ତି ପ୍ରବାସୀ । ଯେଉଁଥିପାଇଁ ଶ୍ରମିକଙ୍କ ଭଗବାନଙ୍କୁ ପାଖରୁ ଦେଖିବାକୁ ସାଇକେଲ ଧରି ବିହାରରୁ ମୁମ୍ବାଇ ଯାଇଥିଲେ ଅରମାନ ।