କୁନି ପୁଅ କାନ୍ଧରେ ପରିବାରର ବୋଝ । ବାପାଙ୍କୁ କିଡନୀ ରୋଗ, ମାଆ ମାନସିକ ରୋଗୀ, ବାପା-ମାଆଙ୍କୁ ସୁସ୍ଥ କରିବାକୁ ସଂଘର୍ଷ କରୁଛନ୍ତି ୨ କୁନି ପୁଅ ।

465

କନକ ବ୍ୟୁରୋ : ଦୁଇଟି ଯାକ କିଡନୀ ଅକାମି ହୋଇଯିବା ପରେ ବଂଚିବାକୁ ସଂଘର୍ଷ କରୁଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗାଁର ସାଗର ମେହେର । ମନୁଷ୍ୟକୁ ଯେତେବେଳେ ରୋଗ ମାଡିବସେ ସେତେବେଳେ ଜୀବନ ବୋଝ ପାଲଟିଯାଏ । କିଡନୀ ପରି ମାରାତ୍ମକ ରୋଗ ଯଦି ଖଟିଖିଆ ଦିନମଜୁରିଆ ଲୋକକୁ ଆକ୍ରାନ୍ତ କରେ ତେବେ ସେ ଲୋକର ଆର୍ଥିକ ଓ ମାନସିକ ସ୍ଥିତି ବିଗିଡିଯାଏ ।

୨ ପୁଅ ଓ ସ୍ତ୍ରୀକୁ ନେଇ ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗାଁର ସାଗର ମେହେରଙ୍କ ପରିବାର । ଲୁଗାବୁଣି ପରିବାର ପୋଷୁଥିଲେ ସାଗର । ହେଲେ ୨ ବର୍ଷ ତଳେ ତାଙ୍କ ସୁଖ ସଂସାରକୁ ମାଡି ଆସିଲା ଏକ ଅଦିନିଆ ଝଡ । ସାଗର କିଡନୀ ରୋଗରେ ଆକ୍ରାନ୍ତ ବୋଲି ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା । ବାପା କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ମାଆ ମାନସିକ ରୋଗୀ । ଆଉ ଏଭଳି ସ୍ଥିତିରେ ୨ ନାବାଳକ ପୁଅଙ୍କ ମୁଣ୍ଡରେ ପରିବାରର ବୋଝ ।

ବଡ ପୁଅ ଗଜାନନ ଅଷ୍ଟମ ଶ୍ରେଣୀ ପରେ ପାଠରେ ଡୋରୀ ବାନ୍ଧି କୌଳିକ ବୃତିକୁ ଆଦରି ପରିବାରକୁ ବଂଚାଇବା ପାଇଁ ଚେଷ୍ଟା କରୁଛି । ହେଲେ କୁନି ପୁଅର ସ୍ୱଳ୍ପ ରୋଜଗାରରେ ବାପା-ମାଆ’ଙ୍କ ଚିକିତ୍ସା ସମ୍ଭବ ନୁହେଁ, ତେଣୁ ସେ ସହାୟତା ପାଇଁ ନିବେଦନ କରିଛି ।

ବାପା କିଡନୀ ରୋଗୀ, ମାଆ ମାନସିକ ବିକାରଗ୍ରସ୍ତ । ୨ ନାବାଳକ ପୁଅଙ୍କ କଅଁଳ କାନ୍ଧରେ ପରିବାରର ବୋଝ । ବଡ ପୁଅ ଲୁଗା ବୁଣି ବାପା-ମାଆଙ୍କ ପାଇଁ ଦାନା ଯୋଗାଡ କରୁଥିବା ବେଳେ ସାନ ପୁଅ ପ୍ରେମାନନ୍ଦ ପାଠ ଛାଡି ଘରେ ରହି ବାପା-ମାଆଙ୍କ ସେବା କରୁଛି । ଯେଉଁ ବୟସରେ ହାତରେ ଖାତା କଲମ ଧରିବା କଥା ସେଇ ବୟସରେ ସେ, ବାପା-ମାଆଙ୍କୁ ଖାଇବାକୁ ଦେବାକୁ ହାତରେ ହଣ୍ଡା ଧରିଛି । ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ସାଂସାରିକ ଜଞ୍ଜାଳ କୁନି ପୁଅର ପ୍ରତିବନ୍ଧକ ସାଜିଛି । ତେବେ ଏ ସଂପର୍କରେ ପଦ୍ମପୁର ଉପଜିଲ୍ଲାପାଳ ଜାଣିବା ପରେ ସାଗର ମେହେରଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସହାୟତା ମିଳିବ ବାପାଙ୍କ ଚିକିତ୍ସା ହେବ ! ସାଗରଙ୍କ ସଂସାରରେ ଖୁସି ଫେରିବ ! ଗରିବ ପରିବାରରେ ଯେତେବେଳେ ରୋଗ ମାଡିବସେ ସେତେବେଳେ ପରିବାରର ମେରୁଦଣ୍ଡ ଭାଙ୍ଗିଯାଏ, ଭାଙ୍ଗି ଯାଏ ସେହି ଗରିବ ଘରେ ଜନ୍ମ ହୋଇଥିବା କୋମଳମତି ଶିଶୁଙ୍କ ସ୍ୱପ୍ନ । ଠିକ୍ ଯେମିତି ପଦ୍ମପୁରର ସାଗର ମେହେରଙ୍କ ପରିବାରରେ ଘଟିଛି । ତେବେ ସାଗର ମେହେରଙ୍କୁ ସହାୟତା ମିଳିଲେ, ସେ ସୁସ୍ଥ ହୋଇଗଲେ ହୁଏତ ତାଙ୍କ ପିଲାଙ୍କ ମୁହଁରେ ହସ ଫେରିପାରନ୍ତା ।