ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ : ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା

ସେପଟେ ଶର୍ମିଷ୍ଠାଙ୍କ ଜବାବ, ଶସ୍ତା ପ୍ରଚାର ପାଇଁ ବନ୍ଦ କରାନଯାଉ ପ୍ରକାଶନ

166

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ବହି ଦି ପ୍ରେସିଡେନସିଆଲ ମେମୋରିୟର୍ସ ବହିକୁ ନେଇ ଜୋରାଦର ଚର୍ଚା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜିଙ୍କ ଟୁଇଟକୁ ନେଇ ଏହି ଚର୍ଚ୍ଚାର ଆରମ୍ଭ ହୋଇଛି । ଆଉ ଏହାକୁ ନେଇ ପ୍ରଣବ ଦାଙ୍କ ପୁଅ-ଝିଅ ମୁହାଁମୁହିଁ ହୋଇଛନ୍ତି ।

ଅଭିଜିତ ଟୁଇଟ୍ କରି ଲେଖିଛନ୍ତି, ତାଙ୍କ ଲିଖିତ ଅନୁମତି ବିନା ପୁସ୍ତକକୁ ପ୍ରକାଶ କରାନଯାଉ । ବାପାଙ୍କ ଅନୁପସ୍ଥିତିରେ ପୁଅ ହିସାବରେ ପୁସ୍ତକ ପ୍ରକାଶନକୁ ଅନୁମତି ଦେବା ନିହାତି ଜରୁରୀ । ବାପା ବଂଚିଥିଲେ ବୋଧହୁଏ ସେଇଆ କରିଥାନ୍ତେ ବୋଲି ଅଭିଜିତ ଲେଖିଛନ୍ତି । ସେଥିପାଇଁ ତୁରନ୍ତ ଏହି ବହିର ପ୍ରକାଶନ ବନ୍ଦ କରାଯାଉ । ଅଭିଜିତଙ୍କ ଏହି ଟୁଇଟର ଦୁଇ ଘଂଟା ପରେ ପ୍ରଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା , ଅଭିଜିତଙ୍କ ଟୁଇଟ ନେଇ ପ୍ରତିକ୍ରିୟା ରଖି ଲେଖିଛନ୍ତି, ବାପା ଅସୁସ୍ଥ ହେବା ପୂର୍ବରୁ ପୁସ୍ତକର ପାଣ୍ଡୁଲିପି ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଥିଲେ । ଆଉ ପୁସ୍ତକରେ ଥିବା ମତ ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ । ତେଣୁ ଶସ୍ତା ଲୋକପ୍ରିୟତା ପାଇଁ କେହି ଏହି ପୁସ୍ତକକୁ ପ୍ରକାଶନକୁ ବନ୍ଦ କରିବାକୁ ଅଟକାଇ ପାରିବେ ନାହିଁ ।

୨୦୨୧ ଜାନୁଆରୀରେ ଏହି ପୁସ୍ତକଟି ଉନ୍ମୋଚନ ହେବ ବୋଲି ଆଶା କରାଯାଉଥିଲା । ଏବେ ଏପରି ବିବାଦ ବହି ପ୍ରକାଶନରେ ବିଳମ୍ୱ ହେବା ନେଇ ଆଶଙ୍କା ସୃଷ୍ଟି କରିଛି । ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ବହିର କିଛି ଅଂଶ ବିଭିନ୍ନ ଗଣମାଧ୍ୟମର ଶିରୋନାମାକୁ ଆସିଥିଲା । ଏଥିରେ ସୋନିଆ ଗାନ୍ଧୀ , ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଟିପଣୀ ପ୍ରକାଶ ପାଇଥିଲା । ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ପାଇଁ ଦଳର ବିପର୍ଯ୍ୟୟ ହୋଇଥିବା ନେଇ ଏହି ପୁସ୍ତକ ସମ୍ପର୍କରେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଅଭିଜିତଙ୍କ ଏପରି ଟୁଇଟ୍ ସାମ୍ନାକୁ ଆସିଛି । ଏବେ ଦେଖିବାର କଥା ଭାଇ , ଭଉଣୀ ଓ ପୂର୍ବତନ ରାଷ୍ଟ୍ରପତିଙ୍କ ପୁସ୍ତକ ବିବାଦ କେଉଁ ଦିଗକୁ ଗତି କରୁଛି ।