ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା 

158

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ ପୁସ୍ତକକୁ ନେଇ ଜୋରାଦର ଚର୍ଚା । ଏହି ପୁସ୍ତକକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ୱିଟ କରି ଲେଖିଛନ୍ତି, ମୋ ବାପାଙ୍କ ଅନୁପସ୍ଥିତିରେ ସେ ଲେଖିଥିବା ପୁସ୍ତକକୁ ମୁଁ ଅଧ୍ୟୟନ କରିବାକୁ ଚାହୁଁଛି ।

ଲେଖକଙ୍କ ପୁଅ ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ପୁସ୍ତକର ପ୍ରକାଶନକୁ ବନ୍ଦ କରାଯାଉ । ମୋର ଲିଖିତ ଅନୁମତି ବିନା ପୁସ୍ତକକୁ ପ୍ରକାଶ କରାନଯାଉ । ବାପାଙ୍କ ଅନୁପସ୍ଥିତିରେ ପୁଅ ହିସାବରେ ପୁସ୍ତକ ପ୍ରକାଶନକୁ ଅନୁମତି ଦେବା ନିହାତି ଜରୁରୀ । ବାପା ବଂଚିଥିଲେ ବୋଧହୁଏ ସେଇଆ କରିଥାନ୍ତେ । ଏଣୁ ତାଙ୍କ ପୁଅ ହିସାବରେ ତୁରନ୍ତ ଏହାର ପ୍ରକାଶନକୁ ରୋକିବା ପାଇଁ ମୁଁ ଅନୁରୋଧ କରୁଛି, ବୋଲି ଅଭିଜିତ ଲେଖିଛନ୍ତି ।

ଅଭିଜିତ ବାନାର୍ଜୀଙ୍କର ଏହି ଟ୍ୱିଟର ଦୁଇ ଘଂଟା ପରେ ପ୍ରଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା, ଅଭିଜିତଙ୍କ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶର୍ମିଷ୍ଠା ଲେଖିଛନ୍ତି, ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ର ଲେଖକଙ୍କ ଝିଅ ହିସାବରେ, ମୁଁ ମୋ ଭାଇ ଅଭିଜିତକୁ ଅନୁରୋଧ କରିବି ଆମ ବାପା ଲେଖିଥିବା ଶେଷ ପୁସ୍ତକ ପ୍ରକାଶନରେ କୌଣସି ବାଧା ସୃଷ୍ଟି କରନ୍ତୁ ନାହିଁ ।

ବାପା ଅସୁସ୍ଥ ହେବା ପୂର୍ବରୁ ପୁସ୍ତକର ପାଣ୍ଡୁଲିପି ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଥିଲେ । ଆଉ ପୁସ୍ତକରେ ଥିବା ମତ ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ । ତେଣୁ ଶସ୍ତା ଲୋକପ୍ରିୟତା ପାଇଁ କେହି ଏହି ପୁସ୍ତକର ପ୍ରକାଶନକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଗୋଟିଏ ପଟେ ପୁସ୍ତକର ପ୍ରକାଶନକୁ ବନ୍ଦ କରିବା ପାଇଁ ଅଭିଜିତ ଟ୍ୱିଟ କରିଥିବା ବେଳେ ଅପରପକ୍ଷରେ ଏହାର ପ୍ରକାଶନକୁ କୌଣସି ମତେ ନଅଟକାଯାଉ ବୋଲି କହିଛନ୍ତି ଶର୍ମିଷ୍ଠା ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲେଖିଥିବା ଏହି ପୁସ୍ତକଟି ୨୦୨୧ ଜାନୁଆରୀରେ ଉନ୍ମୋଚନ ହେବ ବୋଲି ଆଶା କରାଯାଉଥିଲା । ଏବେ ଏହି ବିବାଦ ବହି ପ୍ରକାଶନରେ ବିଳମ୍ୱ ହେବା ନେଇ ଆଶଙ୍କା ସୃଷ୍ଟି କରିଛି । ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ବହିର କିଛି ଅଂଶ ବିଭିନ୍ନ ଗଣମାଧ୍ୟମର ଶିରୋନାମାକୁ ଆସିଥିଲା । ଏଥିରେ ସୋନିଆ ଗାନ୍ଧୀ , ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଟିପଣୀ ପ୍ରକାଶ ପାଇଥିଲା । ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ପାଇଁ ଦଳର ବିପର୍ଯ୍ୟୟ ହୋଇଥିବା ନେଇ ଏହି ପୁସ୍ତକ ସମ୍ପର୍କରେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଅଭିଜିତ ଓ ତାର ତୁରନ୍ତ ପରେ ଶର୍ମିଷ୍ଠାଙ୍କ ଏପରି ଟୁଇଟ୍ ସାମ୍ନାକୁ ଆସିଛି ।