ସୁବର୍ଣ୍ଣପୁର ଲାତୁରପେଟ ଗାଁର ମହିଳା ମିତା ମହାକୁର କରିଛନ୍ତି ବହୁମୁଖୀ ଚାଷ । ମାଛ, ବତକ, ଧାନ, ପନିପରିବା, ଫଳ ଓ ଫୁଲ ଚାଷରେ ହସୁଛି କ୍ଷେତ

97

କନକ ବ୍ୟୁରୋ : ସଫଳତା ଆଣିଦେଲା ସମନ୍ୱୀତ କୃଷି । ଫୁଲ, ପନିପରିବା, ମାଛ ଚାଷ ଓ ଗୋ-ପାଳନ କରି ଭଲ ରୋଜଗାର କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବ୍ଲକ ଲାତୁରପେଟ ଗାଁର ମିତା ମହାକୁର । ଜଣେ ସଫଳ ମହିଳା ଚାଷୀ ଭାବେ ସେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାକୁ ଆସିଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମିଶ୍ରିତ ଚାଷରୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ମିତା । ଏହା ଦ୍ୱାରା ତାଙ୍କ ପରିବାରର ଅର୍ଥିକ ସ୍ଥିତିରେ ଉନ୍ନତି ହୋଇଛି । ଖୁସିରେ ଚଳୁଛି ମିତାଙ୍କ ପରିବାର । ସ୍ଥାନୀୟ ଅଂଚଳର କିଛି ମହିଳା ଓ ପୁରୁଷ ତାଙ୍କ କ୍ଷେତରେ କାମ କରି କିଛି ରୋଜଗାର କରିପାରୁଛନ୍ତି ।

ମିତା ଘରକୁ ବୋହୁ ହୋଇ ଆସିବା ପୁର୍ବରୁ ଏହି ଜମି ପଡିଆ ପଡ଼ିଥିଲା । ଧାନ ଚାଷ ବ୍ୟତିତ ଆଉ କିଛି ଚାଷ ହେଉନଥିଲା । ତେବେ ମିତା ସମସ୍ତଙ୍କର ସହଯୋଗରେ ପ୍ରଥମେ ପନିପରିବା ଚାଷ ଆରମ୍ଭ କରିବା ସହ ସମନ୍ୱିତ ଚାଷ ପାଇଁ ଉଦ୍ୟମ କରିଥିଲେ । ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନାର ସହାୟତାରେ ପ୍ରଥମେ ଦୁଇଟି ପୋଖରି ଖୋଳି ଆରମ୍ଭ କରିଥିଲେ ମାଛ ଚାଷ । ପରେ ଫୁଲ, କଦଳି, ନଡିଆ, ପିଜୁଳୀ ଏବଂ ମାଛ ଚାଷ ସହ ମାଛ ଯାଆଁଳ ମଧ୍ୟ ଉତ୍ପାଦନ କରି ବିକ୍ରି କରୁଛନ୍ତି । ତା ସହ ଅନ୍ୟାନ୍ୟ ଚାଷକରି ଭଲ ଦିପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।

ମାଛ ଚାଷ ସହ ବତକ ପାଳନ ମଧ୍ୟ କରୁଛନ୍ତି ମିତା । ସବୁ କାମର ନିଜେ ତଦାରଖ କରିବା ସହ ଘର କାମ ପରେ ନିଜେ ଏହି କାମ ପାଇଁ ସମୟ ଦେଇଥାଆନ୍ତି । ନିଜେ ଶ୍ରମଦାନ କରିବା ସହ ପରିବାର ଲୋକଙ୍କ ସାହାଯ୍ୟରେ ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଲାଇଛନ୍ତି ।