୫ ବର୍ଷ ତଳେ ମହାନଦୀରେ ଛତିଶଗଡରୁ ଭାସିଆସିଥିଲେ, ୫ ବର୍ଷ ପରେ ବୋହୂ ସାଜି ଛତିଶଗଡ ଫେରିବେ… ବୁଧବାର ହେବ ନଦୀକନ୍ୟାର ବାହାଘର…

403

କନକ ବ୍ୟୁରୋ: ମହାନଦୀରୁ ମହାମିଳନ । ବୋହୂ ସାଜିବେ ନଦୀକନ୍ୟା । ଦିନେ ଏହି ମହାନଦୀରୁ ଭାସି ଯାଉଥିବା ଝିଅକୁ ଉଦ୍ଧାର କରି ନିଜର ଝିଅ ବୋଲି ପରିଚୟ ଦେଇଥିଲେ ଆଉ ଆଜି ସେହି ଝିଅକୁ କନିଆଁ ବେଶରେ ସଜେଇ ହାତକୁ ଦିହାତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ପାଳିତ ବାପାମାଆ । ଦୀର୍ଘ ୬ ବର୍ଷ ତଳେ ମହାନଦୀର ବନ୍ୟାପାଣିରେ ଛତିଶଗଡରୁ ଭାସି ଆସିଥିବା ସୋନୀଙ୍କ ବିବାହ ହେବ ଆଉ ସେ ଶଙ୍ଖାସିନ୍ଦୂର ନାଇ ଶାଶୁ ଘରକୁ ଯିବେ । ପାଣିର ପାଟିରୁ ୫ ବର୍ଷ ତଳେ ନୂଆ ଜୀବନ ପାଇଥିବା ଝିଅ ଯେ ଦିନେ ନୂଆ ସଂସାର ଆରମ୍ଭ କରିବ ତାହା ସେ କେବେ କଳ୍ପନା କରି ନଥିଲା…

ଇଏ ନୂଆ ଜୀବନର ନିମନ୍ତ୍ରଣ ପତ୍ର, ନୂଆ ସମ୍ପର୍କ, ନୂଆ ସଂସାର ଗଢି ତୋଳିବାର ନିମନ୍ତ୍ରଣ ପତ୍ର । ଆଉ ଏ ସବୁ ସମ୍ଭବ ହୋଇଛି କେବଳ ଏ ବାପାମାଆଙ୍କ ପାଇଁ । ସେଇଥିପାଇଁ ତ ପାଳିତ ବାପାମାଆଙ୍କୁ ଖୁସିରେ କୁଣ୍ଢାଇ ପକାଉଛି ନଦୀରୁ ନୂଆ ଜୀବନ ପାଇଥିବା ଦୌପଦୀ ଯାଦବ ଓରଫ ସୋନୀ ।

ଗତ ପାଞ୍ଚ ବର୍ଷ ତଳେ ଅର୍ଥାତ ୧୪ ସେପ୍ଟେମ୍ବର ୨୦୧୬ରେ ମହାନଦୀରେ ଭାସି ଆସିଥିଲା ଏକ ଝିଅ । ଛତିଶଗଡରୁ ବଢିପାଣିରେ ଭାସିଆସି ଝାରସୁଗୁଡାରେ ଲାଗିଥିଲା । ପିଲାବେଳୁ ବାପାମାଆ ନଥିବା ଛତିଶଗଡ ସାରଙ୍ଗଗଡର ଜଣେ ଝିଅ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଯାଇ ମହାନଦୀରେ ଗୋଡ ଧୋଉଥିଲେ । ସନ୍ଧ୍ୟା ସମୟରେ ଗୋଡହାତ ଧୋଇବା ବେଳେ ହଠାତ ଗୋଡ ଖସିଯାଇଥିଲା ଆଉ ସେ ସିଧା ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଉଛୁଳା ନଦୀରେ ଉବୁଟୁବୁ ହେଉଥିଲା ଜୀବନ, ଅକାତ କାତ ପାଣିରେ ପାଉନଥିଲା ପାଦ । ଯେବେ ଚେତା ଫେରୁଥିଲା ସେବେ ପହଁରୁଥିଲା ଝିଅ । ଆଉ ପାଣି ପିଇ ପିଇ ସେମିତି ଦୀର୍ଘ ୫୦ କିଲୋମିଟର ଭାସି ଭାସି ଆସିଥିଲା । ଜଳରେ ଦୀର୍ଘ ୧୨ ଘଣ୍ଟାର ସଙ୍ଘର୍ଷ କରି ଶେଷରେ ଛତିଶଗଡରୁ ଆସି ଓଡିଶାର ଏକ ନଦୀ କୂଳରେ ଲାଗିଥିଲେ ସୋନୀ ଯାଦବ । ଆଉ ସେଦିନର ସେ ଲୋମଟାଙ୍କୁରା ଘଟଣାକୁ ବଖାଣିଛନ୍ତି ସୋନି ।

ତେବେ ଝାରଗୁଡା ରେଙ୍ଗାଲି ଥାନା କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ୟାସୀ କାଲୋ ଗଭୀର ଜଳରୁ ସୋନୀଙ୍କୁ ଉଦ୍ଧାର କରିଥିଲେ । ମାଛ ଧରିବାକୁ ଯାଇଥିବା ବେଳେ ଭାସୁଥିବା ଝିଅକୁ ଦେଖି ନିଜ ଘରକୁ ଆଣିଥିଲେ ଆଉ ଚେତା ଫେରିବା ପରେ ସୋନୀ ସବୁ ସତ କହିବା ପରେ ତାଙ୍କୁ ନିଜ ଝିଅ କରିଥିଲେ ସନ୍ୟାସୀ ଓ ତାଙ୍କ ପତ୍ନୀ ।

ସେପଟେ ଦୀର୍ଘ ୫ ବର୍ଷ ଝିଅର ସେବା, ଯତ୍ନ କରି ସୋନୀଙ୍କୁ ଶିକ୍ଷିତ କରିବା ସହ ଆତ୍ମନିର୍ଭରଶୀଳ କରାଇଛନ୍ତି ବାପାମାଆ । ଆଉ ଏବେ ବିବାହ ବୟସ ଉପନିତ ହେବା ପରେ ସୋନୀଙ୍କୁ ବାହାକରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଘର ଲିପାପୋଛା ଠାରୁ ଆରମ୍ଭ କରି ନିମନ୍ତ୍ରଣ ପତ୍ର ଛପା ସରିଲାଣି । ପାଖରେ ସେମିତି କିଛି ସମ୍ଭଳ ନଥିବାରୁ ସୋନୀର ବିବାହ କରିବାକୁ ସୋଇଚ୍ଛାରେ ଆଗେଇ ଆସିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ବିଧାୟକଙ୍କ ପତ୍ନୀ କନ୍ୟାଦାନ କରିବାକୁ ଥିବାବେଳେ ସୋନୀର ବାହାଘର ପାଇଁ ବେଶ ଖୁସି ଅଛନ୍ତି ଗାଁ ଲୋକେ । ଆସନ୍ତା ୨୧ରେ ଛତିଶଗଡର ପୁରୁଷୋତ୍ତମଙ୍କ ହାତ ଧରିବେ ସୋନୀ ।

ତେବେ ପାଳିତା ଝିଅ ହେଲେ ବି ସମ୍ପର୍କର ସୂତାରେ ବାନ୍ଧି ହୋଇଥିବା ଏ ବନ୍ଧନକୁ ଛିଡାଇ ଦୂରରେ ରହିବା ଭାରି କଷ୍ଟ । ସେଇଥିପାଇଁ ତ ସ୍ନେହର ସମୟ ସରି ସରି ଆସୁଥିବାରୁ ଝିଅର ମୁଣ୍ଡ କୁଣ୍ଡାଇ ଦେଉଛି, ଝିଅକୁ ନିଜ ହାତରେ ଖୁଆଇ ଦେଉଛି ମାଆ । ଆଉ ଝିଅ ବି ବାପାମାଆଙ୍କ ବିନା କେମିତି ରହିବ ସେ କଥା ଭାବୁଛି । ମହାନଦୀ ଗର୍ଭରୁ ଯେଉଁ ମଣିଷ ତାକୁ ନୂଆ ଜୀବନ ଦେଇଥିଲା ସେ ଭଗବାନ ଭଳି ଲୋକଙ୍କୁ କେମିତି ପର କରି ପରଘରକୁ ଯିବ ଭାଳି ହେଉଛି…