ସୁପର୍ ସିକ୍ସରେ ସୋନିକା

208

ସୁନ୍ଦରୀ ପ୍ରତିଯୋଗିତା ଜରିଆରେ ସହଜରେ ମିଳିଯାଏ ବଲିଉଡ ଏଂଟ୍ରି  । ହାତ ମୁଠାକୁ ଆସିଯାଏ ନାଁ ଓ ସୋହରତ୍  । ପ୍ରତିଯୋଗିତାରେ ମୁକୁଟ ମିଳିଗଲେ ଲାଇନ୍ ଲାଗେ ନାମୀ ନିଦେ୍ର୍ଦଶକ ଓ ପ୍ରଯୋଜକଙ୍କର  । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି ଅତୀତରେ  । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୁଅନ୍ତୁ କିମ୍ବା ସୁସ୍ମିତା ସେନ୍ ସୁନ୍ଦରୀ ପ୍ରତିଯୋଗିତା ହିଁ ଏମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ  । ଏବେ ସେମିତି ଏକ ସୁନ୍ଦରୀ ପ୍ରତିଯୋଗିତାରେ ବେଶ ଚମକିଛନ୍ତି ଜଣେ ଓଡ଼ିଶା ସୁନ୍ଦରୀ  । କଟକର ୨୧ ବର୍ଷୀୟା ସୁନ୍ଦରୀ ସୋନିକା ରାୟ ମିସ୍ ଆର୍ଥ ଇଣ୍ଡିଆ – ୨୦୧୬ ପ୍ରତିଯୋଗିତାରେ ଶ୍ରେଷ୍ଠ ଛଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି  । ପ୍ରତିଯୋଗିତାରେ ସେ ବନିଛନ୍ତି ସେଂଟର୍ ଅଫ୍ ଆଟ୍ରାକ୍ସନ୍  । ଚର୍ଚ୍ଚା ଆରମ୍ଭ ହୋଇଛି ସୁନ୍ଦରୀ ସୋନିକାଙ୍କୁ ନେଇ  । ମଡେଲିଂ ଦୁନିଆରେ ପୂର୍ବରୁ ଅନେକ ଓଡ଼ିଆ ପ୍ରତିଯୋଗୀ ନିଜର ପରିଚୟ ସୃଷ୍ଟି କରିଛନ୍ତି  । ଏବେ ଏହି ତାଲିକାରେ ସାମିଲ୍ ହୋଇଛି ସୋନିକା ରାୟଙ୍କର ନାମ  । ତାଙ୍କ ଜର୍ଣ୍ଣିକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ସୁପର୍ ସିକ୍ସରେ ସୋନିକା  ।
ଆଖିରେ ଥିଲା ଚମକ ଆକାଶ ଛୁଇଁବାର  । ଆଶା ଥିଲା ଅସୁମାରୀ  । ବାସ୍ ଜିତିବାର ଜୁନୁନ୍ ତାଙ୍କୁ ପହଂଚାଇଦେଲା ମିସ୍ ଆର୍ଥ ଇଣ୍ଡିଆ – ୨୦୧୬ ପ୍ରତିଯୋଗିତାରେ  । ସୁନ୍ଦରୀ ସୋନିକା ଏବେ ସୁପର୍ ସିକ୍ସରେ  । ତାଙ୍କୁ ନେଇ ଗ୍ଲାମର୍ ଏକ୍ସପର୍ଟ ମାନଙ୍କର ଆରମ୍ଭ ହୋଇଗଲାଣି ଆକଳନ ଓ ଅଙ୍କକଷା  । ପୂର୍ବରୁ ମିସ୍ ଓଡ଼ିଶା ଇଣ୍ଡିଆ ୨୦୧୫ ବିଉଟି କଂଟେଷ୍ଟରେ ସୋନିକା ଦେଖାଇଥିଲେ ନିଜର ଜଲୱା  । ପ୍ରତିଯୋଗିତାରେ ଏକାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ସୋନିକା  । ଏବେ ମିସ୍ ଆର୍ଥ ଇଣ୍ଡିଆ – ୨୦୧୬ ବିଉଟି କଂଟେଷ୍ଟର ସୁପର୍ ସିକ୍ସରେ ପହଂଚି ଆଗେଇଛନ୍ତି ଆଉ କିଛି ପାଦ  । ସୂଚନାଯୋଗ୍ୟ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦେଶର କୋଣ ଅନୁକୋଣରୁ ଆସିଥିବା ପ୍ରତିଭା  । ନିଜ ଦକ୍ଷତା ପ୍ରମାଣିତ କରିବାକୁ ସାମ୍ନାରେ ଥିଲା ଏକାଧିକ ରାଉଣ୍ଡ  । ତେବେ ଶେଷକୁ ବାଜି ଜିତିଥିଲେ ଓଡ଼ିଶା ସୁନ୍ଦରୀ ସୋନିକା ରାୟ  । କମ୍ପିଟିସନ୍ର ଟପ୍ ସିକ୍ସରେ ନିଜ ସ୍ଥାନ ସୁରକ୍ଷିତ କରିଥିଲେ ସେ  । ଓଡ଼ିଶାର ପ୍ରଥମ ଝିଅ ଭାବେ ସୋନିକା ଏଭଳି ପ୍ରତିଯୋଗିତାରେ ହାସଲ କରିଛନ୍ତି ଉଲ୍ଲେଖନୀୟ କୃତିତ୍ୱ  । ଆଗକୁ ଜୁଲାଇ ମାସରେ ଅଷ୍ଟ୍ରେଲିଆରେ ହେବ କଡ଼ା ମୁକାବିଲା  । ତେବେ ଟାଇଟଲ୍ କ୍ରାଉନ୍ ପାଇଁ ହଟ୍ ଫେଭରିଟ୍ ଭାବେ ସୋନିକାଙ୍କ ନାମ ଶୁଣାଯାଉଛି  । ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି ସେ  ।

ପିଲାଟି ବେଳୁ ସୋନିକା ନିଜ ମାଆଙ୍କୁ ହରାଇଥିବା ବେଳେ ନିକଟରେ ତାଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଛି  । ତଥାପି ହାରିନାହାନ୍ତି ସୋନିକା ଜୀବନର ଦୌଡ଼ରେ  । ନିଜର ଦୃଢ଼ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତିକୁ ଆଧାର କରି ସୋନିକା ଚଢ଼ି ଚାଲିଛନ୍ତି ସଫଳତାର ପାହାଚ ପରେ ପାହାଚ  । ଗ୍ଲାମର ଗଳିରେ ତାହା ପୁଣି ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନିକା  । ଏବେ ସୋନିକାଙ୍କ ସଫଳତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା  । ମିସ୍ ଆର୍ଥ ଇଣ୍ଡିଆ – ୨୦୧୬ ପ୍ରତିଯୋଗିତାର ଟପ୍ ସିକ୍ସରେ ସ୍ଥାନ ପାଇଥିବା ସୋନିକାଙ୍କର ଆଗକୁ ନଜର ରହିଛି ଜୁଲାଇ ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଫାଇନାଲ ଉପରେ  । ଏହି ପ୍ରତିଯୋଗିତାରେ ବିଜୟିନୀ ମୁକୁଟ ଜିତିବାର ଆଶା ବାନ୍ଧିଛନ୍ତି ସୋନିକା ରାୟ  ।

ସୁନ୍ଦରୀ ସୋନିକା ରାୟ  । ଗ୍ଲାମର୍ ୱାର୍ଲଡରେ ରାଜ୍ କରିବାର ଇଚ୍ଛା ତାଙ୍କୁ ପହଂଚାଏ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ  । ବହୁଚର୍ଚ୍ଚିତ ସିନେମା ରଙ୍ଗିଲାବାବା ଜରିଆରେ ଓଲିଉଡ୍ ଏଂଟ୍ରି ହୁଏ ସୋନିକାଙ୍କର  । ସିନେମାରେ ପରିଚିତ ଅଭିନେତା ଚନ୍ଦନ କରଙ୍କ ଅପୋଜିଟରେ ନାୟିକା ଭୂମିକାରେ ଦେଖିବାକୁ ମିଳେ ସୋନିକାଙ୍କୁ  । ରଙ୍ଗିଲାବାବା ଫିଲ୍ମପାଇଁ ସୋନିକାଙ୍କ ମେହେନତ୍ ନଜର ଆସେ ରୂପେଲି ପରଦାରେ  । ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ସେ  । ଏହାପରେ ସୁନ୍ଦରୀ ପ୍ରତିଯୋଗିତାର ମୋହ ତାଙ୍କୁ ବ୍ୟାକୁଳ କରେ ମଡ଼େଲିଂ ଦୁନିଆରେ ପାଦ ଦେବାକୁ  । ଫେମିନା ମିସ୍ ଇଣ୍ଡିଆ କଂଟେଷ୍ଟ ତାଙ୍କୁ ଦିଏ ପରିଚୟ  । ଏହାପରେ ଆଉ ପଛକୁ ଫେରି ଚାହିଁବାକୁ ପଡ଼େନାହିଁ ସୁନ୍ଦରୀ ସୋନିକାଙ୍କୁ  । ମିସ୍ ଇଣ୍ଡିଆ ୨୦୧୫ ଟପ୍ ଟେନରେ ସ୍ଥାନ ପାଇବାପରେ ସୋନିକାଙ୍କୁ ମିଳେ ବଲିଉଡ୍ ଫିଲ୍ମର ଅଫର୍  । ତେବେ ଅଫର୍ ସେତେ ପ୍ରଭାବଶାଳୀ ନଥିବାରୁ ମଡ଼େଲିଂକୁ ପ୍ରାଥମିକତା ଦିଅନ୍ତି ସୋନିକା ଓ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରନ୍ତି । ଏହା ତାଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ  । ସୋନିକା ଏବେ ମିସ୍ ଆର୍ଥ ଇଣ୍ଡିଆ – ୨୦୧୬ ପ୍ରତିଯୋଗିତାର ଟପ୍ ସିକ୍ସରେ  । ଆଗକୁ ସଫଳତାର ଧାରା ବଜାୟ ରଖିଲେ ସୋନିକା ପିନ୍ଧିବେ ସୁନ୍ଦରୀ ମୁକୁଟ । ଗର୍ବ ଓ ଗୌରବ ସାଜିବେ ରାଜ୍ୟ ପାଇଁ  । ବିଭିନ୍ନ ମହଲରୁ ସୋନିକାଙ୍କୁ ଏବେ ଅଭିନନ୍ଦନ ଆସିବାରେ ଲାଗିଛି ।

ପ୍ରତିଯୋଗିତାରେ ଦେଶର ବଛା ବଛା ସୁନ୍ଦରୀ  । ଏକାଧିକ ରାଉଣ୍ଡ ଦକ୍ଷତା ପରଖିବାର  । ତେବେ ସବୁଥିରେ ଜଜ୍ ଓ ଜୁରୀଙ୍କର ପ୍ରଶଂସାଭାଜନ ହୋଇ ପାରିଛନ୍ତି ସୁନ୍ଦରୀ ସୋନିକା  । ଆଗକୁ ଫାଇନାଲରେ ସୋନିକା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ  । ଓଡ଼ିଶାରେ ଖେଳିଯାଇଛି ଖୁସିର ଲହରି  । ଟାଇଟଲ୍ ଜିତି ଓଡ଼ିଶା ଫେରନ୍ତୁ ସୋନିକା ସମସ୍ତଙ୍କର କାମନା  । ସୋନିକାଙ୍କୁ ଶୁଭେଚ୍ଛା  ।