ତେଲ ଦର ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ : ସୋନିଆଙ୍କ ପ୍ରଶ୍ନ, କାହିଁକି ଟିକସ କମାଉନାହାନ୍ତି ସରକାର 

ଲୋକଙ୍କ ଆୟ କମୁଥିବା ବେଳେ କାହିଁକି ଦିଆଯାଉଛି ଅତିରିକ୍ତ ଚାପ ? 

98

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବର୍ଷିଛନ୍ତି । ସୋନିଆ ପଚାରିଛନ୍ତି କାହିଁକି ଟିକସ କମାଉନାହାନ୍ତି ସରକାର । ସୋନିଆ କହିଛନ୍ତି, ଲୋକଙ୍କ ଉପରେ ଚାପ କମାଇବା ପାଇଁ ଏହି ସରକାରକୁ ମନୋନୀତ କରାଯାଇଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟର ନିୟନ୍ତ୍ରଣ ଲୋକଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଥିଲା । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହା କରିବାରେ ବିଫଳ ହୋଇଛନ୍ତି । ଯାହା ବୟାନ କରୁଛି ଲୋକଙ୍କ ଆଇନଗତ ଅଧିକାରକୁ ପ୍ରଦାନ ନ କରିବା ପାଇଁ ଏହା ସରକାରଙ୍କ ଏକ ସୁଚିନ୍ତିତ ନିଷ୍ପତ୍ତି ।

ତିନି ପୃଷ୍ଠାର ଏହି ଚିଠିରେ ସୋନିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଆଦାୟ କରିବା ଅଯୌକିକ ଅଟେ । ଗୋଟିଏ ପଟେ ଭାରତରେ ଚାକିରି ସମସ୍ୟା ଦେଖାଦେଇଛି । ଘରୋଇ ରୋଜଗାର କମିଛି । ମଧ୍ୟବିତ ଶ୍ରେଣୀର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଅନ୍ୟାନ୍ୟ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣର ଦରବୃଦ୍ଧି କରାଇଛି । ଯାହାକୁ ନେଇ ଲୋକେ ଅସ୍ତବ୍ୟସ୍ତ ଅଛନ୍ତି । ଏପରି ଏକ ସମୟରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଲୋକଙ୍କ ଚିନ୍ତା ବଢାଇ ଦେଇଛି ।