ସୋନିଆ କହିଲେ, ‘I AM SORRYଅମରିନ୍ଦର’ । ଜାଣନ୍ତୁ ଫୋନରେ କଣ କଥା ହୋଇଥିଲେ କ୍ୟାପଟେନ ଓ କଂଗ୍ରେସ ଅଧ୍ୟକ୍ଷା ।

234

କନକ ବ୍ୟୁରୋ : କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ପଲିଟିକ୍ସ ଚଳଚଞ୍ଚଳ ହୋଇ ଉଠିଛି । ବିଧାୟକ ଦଳ ବୈଠକକୁ ନେଇ ଅସନ୍ତୁଷ୍ଟ ଥିବା ଅମରିନ୍ଦର ଶନିବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ବାରମ୍ବାର ବିଧାୟକ ଦଳ ବୈଠକ ନିଷ୍ପତ୍ତି ଅମରିନ୍ଦରଙ୍କୁ ବେଶ ଅପମାନିତ କରିଥିଲା । ଏପରିକି ସରକାର ଠିକରେ ଚଳାଇବା କ୍ଷେତ୍ରରେ ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଆଉ ବୋଧହୁଏ ଭରସା କରୁନାହାନ୍ତି ବୋଲି କହିଥିଲେ ଅମରିନ୍ଦର । ଏତିକିରେ ଚୁପ୍ ବସିନାହାନ୍ତି ଅମରିନ୍ଦର । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ମୁହଁ ଖୋଲିବା ସହ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଣ କଥାବାର୍ତ୍ତା ହୋଇଥିଲେ ତାହା ଉପରୁ ପରଦା ହଟାଇଛନ୍ତି ।

ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସୋନିଆଙ୍କ ସହ ଫୋନରେ କଥା ହୋଇଥିଲେ । ଆଉ ଏନେଇ ଅମରିନ୍ଦର କହିଛନ୍ତି, ସୋନିଆ ଗାନ୍ଧୀ ମୋତେ ସକାଳେ ଫୋନ୍ କରିଥିଲେ, କିନ୍ତୁ ଏହି ସମୟରେ ମୁଁ ଫୋନ୍ ଉଠାଇ ପାରିନଥିଲି । କିନ୍ତୁ ପରେ ମୋବାଇଲରେ ତାଙ୍କର ମିସଡ କଲ ଆସିଥିବା ଦେଖିବାକୁ ପାଇଲି । ଆଉ ଏହାପରେ ପୁଣିଥରେ ତାଙ୍କୁ କଲ କଲି । ଯେତେବେଳେ ସୋନିଆ ଜୀ ଫୋନ ଉଠାଇଲେ ତାଙ୍କୁ ବିଧାୟକ ଦଳ ବୈଠକ ବାବଦରେ ପଚାରିଥିଲି । ଏପରିକି ମୁଁ ଇସ୍ତଫା ଦେବା କଥା ମଧ୍ୟ କହିଥିଲେ । ଏଭଳି ପରିସ୍ଥିତିରେ ମୋତେ ଇସ୍ତଫା ଦେଇଦେବା ଉଚିତ୍ ବୋଲି କହିଥିଲି । ଆଉ ଏହାର ଜବାବରେ ସୋନିଆ କହିଥିଲେ, ଆପଣ ଇସ୍ତଫା ଦେଇପାରନ୍ତି । ଆଉ ସୋନିଆଙ୍କ ଠାରୁ ଏଭଳି ଉତ୍ତର ମିଳିବା ପରେ ମୁଁ ମଧ୍ୟ କହିଥିଲି ଠିକ୍ ଅଛି ଇସ୍ତଫା ଦେଇଦେବି । ଆଉ ଫୋନ୍ ରଖିବା ପୂର୍ବରୁ ସୋନିଆ କହିଥିଲେ, ସରି ଅମରିନ୍ଦର ।

ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ତଥା ପୂର୍ବତନ ସାଂସଦ ଓ ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ସୁନୀଲ ଜାଖଡ ଏହି ପଦରେ ବସିପାରନ୍ତି । ଜାଖଡଙ୍କ ନାଁରେ ଦଳର ଶୀର୍ଷ ନେତୃତ୍ୱ ମୋହର ମାରିଥିବା ମଧ୍ୟ କୁହାଯାଉଛି । ଏହାଛଡା ପଞ୍ଜାବ ପାଇଁ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିପାରେ କଂଗ୍ରେସ ।

ତେବେ ଏସବୁ ଭିତରେ ପଞ୍ଜାବରେ କଂଗ୍ରେସ କନ୍ଦଳ ଏବେ ବି ଶାନ୍ତ ପଡିନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କ୍ୟାପଟେନ ଅମରିନ୍ଦର କଂଗ୍ରେସ ସଭାପତି ସିଦ୍ଧୁଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ସିଦ୍ଧୁଙ୍କ ଇମ୍ରାନ ଖାନ୍ ଓ ବାଜୱାଙ୍କ ବନ୍ଧୁ ବୋଲି କହିବା ସହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ସେ ଏହାକୁ ବିରୋଧ କରିବେ ବୋଲି ଖୋଲାଖୋଲି କହିଛନ୍ତି । ଏହାଛଡା ସିଦ୍ଧୁ କହିଛନ୍ତି, କାଶ୍ମୀରରେ ଆମର ଯବାନ ସହିଦ ହେଉଛନ୍ତି, ଏଭଳି ସ୍ଥଳେ ଇମ୍ରାନଙ୍କ ବନ୍ଧୁ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ମୁଁ କେମିତି ଗ୍ରହଣ କରିବି? ଏହାପୂର୍ବରୁ ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି ଓ ସେ କଂଗ୍ରେସକୁ ପୂରା ବରବାଦ କରିଦେବେ ବୋଲି କହିଥିଲେ କ୍ୟାପଟେନ ଅମରିନ୍ଦର । ଏଭଳି ବୟାନବାଜି ଭିତରେ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।