କନକ ବ୍ୟୁରୋ :  ବିଜେପିକୁ ଗାଦିରୁ ହଟାଇବାକୁ ଜୋରଦାର ଲାଗିପଡିଛନ୍ତି ବିରୋଧୀ । ଆଜି ପୁନର୍ବାର ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ଶାସକ ଦଳ ବିରୋଧରେ ଚୂଡାନ୍ତ ରଣନୀତି ନିର୍ଦ୍ଧାରଣ କରିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଦୀ । ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଜାତୀୟ କଂଗ୍ରେସ ଦଳର ସଭାପତି ଶରଦ ପୱାରଙ୍କ ବରିଷ୍ଠ ନେତା ଏଥିରେ ଯୋଗ ଦେଉଛନ୍ତି । କିନ୍ତୁ ଏହି ବୈଠକକୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କିମ୍ବା ତାଙ୍କ ଦଳର କାହାକୁ ନିମନ୍ତ୍ରଣ କରାଯାଇନଥିବା କଂଗ୍ରେସର ଜଣେ ନେତା ଗଣମାଧ୍ୟମକୁ କହିଛନ୍ତି । ଏହି ବୈଠକରେ ମୋଦୀ ସରକାର ବିରୋଧରେ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ଦରଦାମ ବୃଦ୍ଧି, ପେଗାସସ୍ ଗୁଇନ୍ଦାଗିରି, କୋଭିଡ୍ -୧୯ କାର୍ଯ୍ୟକ୍ରମରେ ଅନିୟମିତତା, ବେକାରୀ ସମସ୍ୟା, ଅର୍ଥନୈତିକ ଦୂରାବସ୍ଥା ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲେଚନା ହେବ । ଏସବୁ ପ୍ରସଙ୍ଗକୁ ଉଠାଇ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ମୁଖା ଖୋଲିବାକୁ ବିରୋଧୀ ଏକାଠି ହେଉଥିବା କହିଛନ୍ତି ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ । ଏହସହ ଜନତା ଭୋଗୁଥିବା ବିଭିନ୍ନ ସମସ୍ୟାକୁ ଢାଲ କରି ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ବିରୋଧୀ ଏକାଠି ହୋଇଥିବା ମଧ୍ୟ ସେ କହିଛନ୍ତି ।publive-imageସୂଚନା ମୁତାବକ, ଗତ ମୌସୁମୀ ଅଧିବେଶନରେ ଏସବୁ ପ୍ରସଙ୍ଗ ଉଠାଇ ଉଭୟ ଗୃହରେ ହୋହାଲ୍ଲା କରିଥିଲେ । ଫଳରେ ଗୃହକାର୍ଯ୍ୟକୁ ଏକାଧିକ ଥର ବନ୍ଦ କରିବାକୁ ପଡିଥିଲା । ଉପରୋକ୍ତ ବିଷୟ ଉପରେ ସଂସଦରେ ଠିକ ଭାବେ ଆଲୋଚନା ହୋଇପାରିନଥିବାରୁ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ ।