Advertisment

କନକ ବ୍ୟୁରୋ: ବେଙ୍ଗାଲୁରରେ ବସିବ ବିରୋଧୀ ବୈଠକ । ପାଟନା ବୈଠକ ପରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ୨ୟ ବୈଠକ । ସାଧାରଣ ନିର୍ବାଚନରେ ବିଜେପି ସହ କିଭଳି ମୁକାବିଲା କରିବେ ଏନେଇ ବିରୋଧୀ ଦଳ ବୈଠକରେ ହେବ ରଣନୀତି । ତେବେ ପାଟନା ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନୁପସ୍ଥିତ ରହିଥିବାବେଳେ ବେଙ୍ଗାଲୁର ବୈଠକରେ ସେ ଯୋଗଦେବେ ।

  • ଜୁଲାଇ ୧୭, ୧୮ରେ ବିରୋଧୀଦଳ ବୈଠକ
  • ବେଙ୍ଗାଲୁରୁ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ମୋଦୀ ବିରୋଧୀ ଦଳମାନଙ୍କ ମଧ୍ୟରେରେ ଚାଲିଛି ଅଙ୍କକଷା । ଜୁନ ୨୩ରେ ବିହାରର ପାଟନାରେ ପ୍ରଥମ ବିରୋଧୀ ମେଣ୍ଟର ବୈଠକ ବସିଥିବାବେଳେ ଜୁଲାଇ ୧୭,୧୮ ରେ ବେଙ୍ଗାଲୁରରେ ବସିବ ଦୁଇ ଦିନିଆ ବୈଠକ । ସୂଚନା ଅନୁସାରେ ପାଟନା ବୈଠକରେ ୧୬ ଦଳ ଯୋଗ ଦେଇଥିବାବେଳେ ବେଙ୍ଗାଲୁର ବୈଠକରେ ୨୪ପାର୍ଟି ସାମିଲ ହୋଇପାରନ୍ତି । ଆଞ୍ଚଳିକ ଦଳ ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି. ଆଇୟୁଏମ, କେରଳ କଂଗ୍ରେସ ବେଙ୍ଗାଲୁର ବୈଠକକୁ ଆସିପାରନ୍ତି ।

ସବୁଠୁ ବଡ କଥା ହେଉଛି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀ ଦଳ ବୈଠକରେ ଯୋଗ ଦେଇପାରନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମସ୍ତ ବିରୋଧୀ ଦଳମାନଙ୍କୁ ବେଙ୍ଗାଲୁର ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି ।

  • ବିରୋଧୀଦଳ ବୈଠକରେ ଯୋଗ ଦେବେ ସୋନିଆ ଗାନ୍ଧୀ
  • ବୈଠକ ପୂର୍ବରୁ ରାତ୍ରୀଭୋଜନ ପାଇଁ ସୋନିଆ ଦେଲେ ନିମନ୍ତ୍ରଣ

ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧୭ ସଂଧ୍ୟାରେ ସୋନିଆ ଗାନ୍ଧୀ ବିରୋଧୀଦଳଙ୍କ ପାଇଁ ରାତ୍ରୀଭୋଜନର ଆୟୋଜନ କରିଛନ୍ତି । ୧୮ ତାରିଖ ଦିନ ୧୧ଟାରୁ ବସିବ ବୈଠକ । ଯଦି ଦେଖାଯାଏ ତେବେ ପାଟନା ଓ ବେଙ୍ଗାଲୁରୁ ବୈଠକ ମଧ୍ୟରେ କିଛି ରାଜନୈତିକ ସମୀକରଣ ବଦଳିଛି । ପାଟନା ବୈଠକର ଠିକ ୨୫ ଦିନ ପରେ ବେଙ୍ଗାଲୁର ବୈଠକ ବସୁଛି । ଏହରି ଭିତରେ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣଭବେ ଓଲଟପାଲଟ ହୋଇସାରିଛି । ମୋଦୀ ସରକାରର ପ୍ରମୁଖ ବିରୋଧୀ ଶରଦ ପୱାରଙ୍କ ଦଳ ଏନସିପି ଦୁଇ ଭାଗ ହୋଇଛି ଓ ଅଧିକାଂଶ ନେତା ବିଜେପି ସହ ହାତ ମିଳାଇ ସାରିଛନ୍ତି ।

ଅନ୍ୟପଟେ ଆମ ଆଦମୀ ପାର୍ଟି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଯଦିଓ ପାଟନା ବୈଠକରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସାମିଲ ହୋଇଥିଲେ କିନ୍ତୁ ବେଙ୍ଗାଲୁର ବୈଠକରେ ସାମିଲ ହେବେ ନା ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲ ବିରୋଧୀଙ୍କ ସମର୍ଥନ ଚାହୁଁଛନ୍ତି । କିଛି ଆଞ୍ଚଳିକ ଦଳ କେଜ୍ରିୱାଲଙ୍କୁ ସମର୍ଥନ ଦେଇଥିବାବେଳେ କଂଗ୍ରେସ ଏବେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛି । ଏଥର ବୈଠକ କଂଗ୍ରେସ ନେତୃତ୍ୱରେ ହେଉଥିବାରୁ ଆପ ବୈଠକରେ ଯୋଗ ଦେବ ନା ନାହିଁ ସେ ନେଇ ସସପେନ୍ସ ଜାରିରହିଛି ।