କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ବିଜେପି ସାଂସଦମାନେ ହଟ୍ଟଗୋଳ କରିଛନ୍ତି । ଏନେଇ ବିଜେପି ସାଂସଦମାନେ କଂଗ୍ରେସ ଉପରେ ପ୍ରବଳ ବର୍ଷିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଏନେଇ କଂଗ୍ରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଏହାପରେ ସଂସଦ ଭିତରେ ସୋନିଆ ଗାନ୍ଧୀ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏଭଳି ହୋଇଥିଲା କି, ଉଭୟ ଦଳର ସାଂସଦମାନେ ଆସି ସେମାନଙ୍କୁ ସେମାନଙ୍କ ଆସନ ନିକଟକୁ ନେଇ ଯାଇଥିଲେ ।

Advertisment

ଏସବୁ ପରେ ସଂସଦ ସ୍ଥଗିତ କରାଯାଇଥିଲା । ବିଜେପି ସାଂସଦମାନେ ସଂସଦ ବାହାରେ ସୋନିଆ ଗାନ୍ଧୀଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ । ବାଶ୍ ଏତିକି ବେଳେ ସଂସଦ ଭିତରୁ ବାହାରୁ ଥିବା ସୋନିଆ ଗାନ୍ଧୀ ସାଂସଦ ରମାଦେବୀଙ୍କ ପାଖରେ ପହଂଚି ସଂପୃକ୍ତ ବୟାନକୁ ନେଇ ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିସାରିଥିବା କଥା କହିଥିଲେ । ଏହି ସମୟରେ ସ୍ମୃତି ଇରାନୀ କିଛି କହିବାରୁ ସୋନିଆ ଗାନ୍ଧୀ ତାଙ୍କୁ Don’t talk to me ବୋଲି କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କିଛି ୨-୩ ମିନିଟ ପର୍ଯ୍ୟନ୍ତ ଯୁକ୍ତି ଚାଲିଥିଲା ।

କହିରଖୁ କି କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ବୟାନରେ ରାଷ୍ଟ୍ରପତିଙ୍କ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ଏହାକୁ ନେଇ ସେ ପରେ କ୍ଷମା ମାଗିଥିବା କଥା କହିଛନ୍ତି । ହେଲେ ଏଭଳି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦ ଭିତରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।