ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କ ଆଜି ବୈଠକ। ସଂସଦୀୟ ଦଳ ନେତା ନିର୍ବାଚନ ସହ ଆଗାମୀ ଅଧିବେଶନ ପାଇଁ ହେବ ରଣନୀତି ଚୂଡାନ୍ତ

ଉପସ୍ଥିତ ରହିବେ ସମସ୍ତ ୫୨ ସାଂସଦ

125

କନକ ବ୍ୟୁରୋ: କଂଗ୍ରେସ ନବ ନିର୍ବାଚିତ ସାଂସଦଙ୍କର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳର ନେତା ମଧ୍ୟ ବାଛିବା ସମ୍ଭାବନା ରହିଛି । ଆଜି ହେବାକୁ ଥିବା ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ ଏବଂ ସମସ୍ତ ୫୨ ଜଣ କଂଗ୍ରେସ ସାଂସଦ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କଂଗ୍ରେସର ରାଜ୍ୟସଭା ସାଂସଦ ମଧ୍ୟ ଉପସ୍ଥିତ ରହିବେ ।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ କଂଗ୍ରେସର ଏହି ସଂସଦୀୟ ଦଳ ବୈଠକ ହେବ ବୋଲି ଜଣାପଡିଛି । ଏଥିରେ ସଂସଦର ଆଗାମୀ ଅଧିବେଶନର ରଣନୀତି ନେଇ ମଧ୍ୟ ଆଲୋଚନା ହେବ । ଗତ ୨୫ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଆଜି ଏହି ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବ । ଗତ ଲୋକସଭା ନିର୍ବାଚନରେ ବିପର୍ଯ୍ୟର ସମ୍ମୁଖୀନ କରୁଥିବା କଂଗ୍ରେସ ଏକ ବଡ ଧରଣ ସଂସ୍କାର କରିବା ସମ୍ଭାବନା ରହିଥିବା କୁହାଯାଉଛି ।

ପୂର୍ବରୁ ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଗାନ୍ଧି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଦଳୀୟ ନେତା ଏହାକୁ ଗ୍ରହଣ କରି ନାହାନ୍ତି, ବରଂ ବିଭିନ୍ନ ପିସିସିରେ ରାହୁଲଙ୍କ ଅଧ୍ୟକ୍ଷତା ନେଇ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟପଟେ ଦଳୀୟ ସଂଗଠନରେ କୌଣସି ପ୍ରକାର ପରିବର୍ତନ ରାହୁଲ କରିପାରିବେ ବୋଲି ପ୍ରସ୍ତାବ ଦିଆଯାଇଛି ।