କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ ବେଳେ ସାଥୀରେ ରହିଥିଲେ ।

ସୋନିଆ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବା ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିଥିବା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ସ୍ୱାଗତ କରୁଛି । ରାଜସ୍ଥାନ ସହ ସୋନିଆଙ୍କ ସର୍ମ୍ପକ ବେଶ ଭଲ । ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ସହ ଆଦିବାସୀ ବହୁଳ ଜିଲ୍ଲା ଗସ୍ତରେ ଆସିଥିଲେ । ରାଜସ୍ଥାନରେ ଯେତେବେଳେ ମରୁଡି ପଡିଥିଲା ସେତେବେଳେ ସୋନିଆ ଗାନ୍ଧୀ ରାଜସ୍ଥାନବାସୀଙ୍କୁ ସହାୟତା କରିବାକୁ ଜିଲ୍ଲା ଗସ୍ତ କରି ବାସ୍ତବ ସ୍ଥିତି ପରଖିଥିଲେ । ଯାହାକୁ ଏଯାଏଁ ଭୁଲିନାହାନ୍ତି ରାଜସ୍ଥାନବାସୀ । ରାଜସ୍ଥାନର ବିକାଶ ଦିଗରେ ସୋନିଆଙ୍କର ଅବଦାନ ମଧ୍ୟ କିଛି କମ ନୁହେଁ । ତାଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ଭାବେ ଘୋଷଣା ପରେ ପୂରା ରାଜ୍ୟରେ ଖୁସିରେ ଲହରୀ ଖେଳିଯାଇଛି ।

ସୋନିଆ ଗାନ୍ଧୀ ଏବେ ରାଏବରେଲିରୁ ସାଂସଦ ରହିଛନ୍ତି । ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । ବିହାରରୁ ଅଖିଳେଶ ପ୍ରସାଦ, ହିମାଚଳ ପ୍ରଦେଶରୁ ଅଭିଷେକ ମନୁ ସିଂଘଭି, ମହାରାଷ୍ଟରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।