କନକ ବ୍ୟୁରୋ : ଘର ଭଡା ବାକି ରଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆଙ୍କ ସମେତ କିଛି କଂଗ୍ରେସ ନେତା ରହୁଥିବା ସରକାରୀ ବଙ୍ଗଳାର ଘର ଭଡା ଦେଇନାହାନ୍ତି । ଆରଟିଆଇରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ଆରଟିଆଇରୁ ମିଳିଥିବା ତଥ୍ୟ ମୁତାବକ, ଅକବର ରୋଡସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଘର ଭଡା ବାବଦକୁ ୧୨,୬୯,୯୦୨ ଟଙ୍କା ବାକି ରଖିଛି । ଶେଷଥର ପାଇଁ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ଘର ଭଡା ୨୦୧୨ରେ ଦିଆଯାଇଥିଲା ।
ସେହିଭଳି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ରହୁଥିବା ସରକାରୀ ବାସଭବନର ଘରଭଡା ବାକି ରହିଛି । ସୋନିଆ ଘର ଭଡା ବାବଦକୁ ୪୬୧୦ ଟଙ୍କା ବାକି ରଖିଛନ୍ତି । ସୋନିଆ ଶେଷଥର ପାଇଁ ୨୦୨୦ ମସିହାରେ ଘର ଭଡା ଟଙ୍କା ଦେଇଥିଲେ । ସେହିଭଳି ସୋନିଆଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜ ମଧ୍ୟ ୨୦୧୩ ମସିହାରୁ ଘର ଭଡା ବାବଦ ଟଙ୍କା ବାକି ରଖିଛନ୍ତି ।
ନିୟମ ଅନୁଯାୟୀ, ପ୍ରତ୍ୟେକ ଜାତୀୟ ଓ ରାଜନୈତିକ ଦଳକୁ ଘର ପାଇଁ ଅନୁମତି ମିଳିଥାଏ । କିନ୍ତୁ ପ୍ରତ୍ୟେକ ଦଳକୁ ନିଜର କାର୍ଯ୍ୟାଳୟ ନିର୍ମାଣ ପାଇଁ ୩ ବର୍ଷ ସମୟ ଦିଆଯାଇଥାଏ । ଆଉ ଏହି ସମୟସୀମା ଶେଷ ହେବା ପରେ ସରକାରୀ ଘର ଛାଡିବାର ନିୟମ ରହିଛି । କଂଗ୍ରେସକୁ ମଧ୍ୟ ୨୦୧୦ରେ ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ କରାଯାଇଥିଲା । ତେଣୁ ନିୟମ ଅନୁଯାୟୀ, କଂଗ୍ରେସ ଏବେ ଯେଉଁ ସରକାରୀ ଘରେ କାର୍ଯ୍ୟାଳୟ କରିଛି ତାହା ଛାଡିବା କଥା । କିନ୍ତୁ ସେଭଳି କିଛି ହୋଇନାହିଁ । ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ୨୦୨୦ ଜୁଲାଇ ମାସରେ ଲୋଧି ରୋଡସ୍ଥିତ ଘର ଖାଲି କରିବାକୁ ନୋଟିସ ପଠାଯାଇଥିଲା ।
ଆରଟିଆଇରୁ ଏଭଳି ତଥ୍ୟ ଆସିବା ପରେ ବିଜେପି ନେତା ତଜିନ୍ଦର ପାଲ ସିଂ ସୋନିଆଙ୍କୁ ଟାର୍ଗେଟ କରିଛନ୍ତି । ତଜିନ୍ଦର କହିଛନ୍ତି, ସୋନିଆ ଗାନ୍ଧୀଙ୍କ ଦଳ ନିର୍ବାଚନ ହାରିବା ପରେ ସେ ଆଉ ଘରଭଡା ଦେଇପାରିନାହାନ୍ତି । ଯାହା ଦର୍ଶାଉଛି ଯେ, ଆଉ ଘୋଟାଲା କରିପାରୁନଥିବାରୁ ଏଭଳି ଅବସ୍ଥା ହୋଇଛି । ତେବେ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ସେଥିପାଇଁ ସୋନିଆଙ୍କୁ ଅର୍ଥ ରାଶି ସହାୟତା ପାଇଁ ଏକ ଅଭିଯାନ ଆରମ୍ଭ କରିଛି ।