ମନମୋହନ ସିଂଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ବନାଇଥିଲେ ସୋନିଆ ଗାନ୍ଧୀ ? ବାରାକ୍ ଓବାମାଙ୍କ ପୁସ୍ତକରେ ସ୍ଥାନ ପାଇଲା ଗାନ୍ଧୀ ପରିବାରର କାହାଣୀ ।

847

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’କୁ ନେଇ ଭାରତରେ ସବୁଆଡେ ଆଲୋଚନା । ଏବେ ଏହି ପୁସ୍ତକରେ ଉଲ୍ଲେଖ ଥିବା ଏକ ଅଂଶ ଯେଉଁଥିରେ ପ୍ରକାଶ ଅଛି ଯେ, ମନମୋହନ ସିଂଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ବନାଇଥିଲେ ସୋନିଆ ଗାନ୍ଧୀ? ତାକୁ ନେଇ ସବୁଆଡେ ଚର୍ଚ୍ଚା । ଗାନ୍ଧୀ ପରିବାରକୁ ନେଇ ଓବାମା ତାଙ୍କ ପୁସ୍ତକରେ ଯାହା ଲେଖିଛନ୍ତିି ତାହା ଏବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଛି । ଓବାମା ଲେଖିଛନ୍ତି ସୋନିଆ, ରାହୁଲଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ଏହି ପୁସ୍ତକରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀଙ୍କୁ ମନମୋହନ ସିଂଙ୍କ ଠାରୁ କୌଣସି ରାଜନୈତିକ କ୍ଷତି ପହଞ୍ଚିବାର ନଥିଲା ଏଥିପାଇଁ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ବନାଇଥିଲେ ସୋନିଆ । ଆମେରିକାର ନ୍ୟୁୟର୍କ ଟାଇମ୍ସ ଏହି ପୁସ୍ତକର ସମୀକ୍ଷା କରି ରିପୋର୍ଟ ପ୍ରକାଶ କରିଛି ।

ମନମୋହନ ସିଂ ପ୍ରଧାନମନ୍ତ୍ରୀ ବନିବା ନେଇ ଉଲ୍ଲେଖ କରି ବାରାକ ଓବାମା ଲେଖିଛନ୍ତି ଯେ, ଭାରତରେ ଏବେ ବି ରାଜନୀତି ଜାତି, ଧର୍ମ ଓ ପରିବାରବାଦକୁ ନେଇ ହିଁ ଚାଲେ । ତେବେ ମନମୋହନ ସିଂ ନିଜର ଲୋକପ୍ରିୟତା ପାଇଁ ନୁହେଁ ବରଂ ସୋନିଆ ଗାନ୍ଧୀ ଚାହିଁଥିବାରୁ ସେ ପ୍ରଧାନମନ୍ତ୍ରୀ ବନିଥିଲେ । ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସେ ବହୁତ ଚିନ୍ତା କରିବା ପରେ ଏହି ନିଷ୍ପତି ନେଇଥିଲେ । କାରଣ ମନମୋହନ ସିଂ ଏପରି ଜଣେ ନେତା ଥିଲେ ଯାହାଙ୍କର ସେପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜନୈତିକ କ୍ଷେତ୍ରରେ କୌଣସି ସ୍ୱତନ୍ତ୍ର ପରିଚୟ ନଥିଲା । ଏପରି ଜଣେ ନେତାଙ୍କ ଠାରୁ ସୋନିଆଙ୍କୁ ତାଙ୍କର ୪୦ବର୍ଷୀୟ ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ କୌଣସି ରାଜନୈତିକ କ୍ଷତି ପହଞ୍ଚିବାର ନଥିଲା ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାଭସବନରେ ଏକ ଡିନର ପାର୍ଟି ସର୍ମ୍ପକରେ ମଧ୍ୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ରାହୁଲ ଓ ସୋନିଆ ସାମିଲ ହୋଇଥିଲେ ।

ଆତଙ୍କାବଦୀ ଓସାମା ବିନ ଲାଡେନର ନିହତ କାହାଣୀକୁ ମଧ୍ୟ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି ବାରାକ ଓବାମା । ଲାଡେନକୁ ନିହତ କରିବା ପାଇଁ ଆମେରିକା କରିଥିବା ମାଷ୍ଟରପ୍ଲାନରେ ପାକିସ୍ତାନକୁ ଜାଣିଶୁଣି ସାମିଲ କରିନଥିବା ଏହି ପୁସ୍ତକରେ ପ୍ରକାଶ ପାଇଛି । ଆତଙ୍କବାଦୀଙ୍କ ସହ ପାକିସ୍ତାନର ସମ୍ପର୍କ ଥିବାରୁ ଏହି ମିଶନ ଗୋପନୀୟ ରଖାଯାଇଥିଲା । ଓବାମାଙ୍କ ଏହି ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’ରେ ବିଶ୍ୱର ଅନେକ ରାଷ୍ଟ୍ରର ରାଜନୈତିକ ରଣନୀତି ଉପରୁ ପର୍ଦ୍ଦା ଉଠିଛି ।