ଅସୁସ୍ଥତା କାରଣ ଦର୍ଶାଇ ପୁଣି ଇଡିରେ ହାଜର ହେବାକୁ ସମୟ ମାଗିଲେ ସୋନିଆ ଗାନ୍ଧୀ

113

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୩ ତାରିଖରେ ଇଡିରେ ହାଜର ହେବାର ଥିଲା । ହେଲେ ଅସୁସ୍ଥତା କାରଣ ଦର୍ଶାଇ ଏହି ତାରିଖକୁ ଆଉ କିଛିଦିନ ପାଇଁ ଘୁଞ୍ଚାଇ ଦେବାକୁ ସେ ସେ ଇଡି ନିକଟକୁ ଏକ ଆବେଦନ ପତ୍ର ପଠାଇଛନ୍ତି । କଂଗ୍ରେସ ମହାସଚିବ ଜୟରାମ ରମେଶ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, କୋଭିଡ ଓ ହୃତପିଣ୍ଡରେ ସଂକ୍ରମଣ କାରଣରୁ ସୋନିଆ ଗାନ୍ଧୀ ମେଡିକାଲରେ ଆଡମିଶନ ହୋଇଥିଲେ ଓ ଡାକ୍ତର ତାଙ୍କୁ କିଛିଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହି କାରଣରୁ ସୋନିଆ ଗାନ୍ଧୀ ଆଜି ଇଡି ନିକଟକୁ ଏକ ଚିଠିଲେଖି ତାଙ୍କ ହାଜର ହେବା ତାରିଖକୁ ଆଉ କିଛି ସପ୍ତାହ ଘୁଞ୍ଚାଇ ଦେବାକୁ ନିବେଦନ କରିଛନ୍ତି । କହିରଖୁ କି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା । ଏହି ନୋଟିସ ମୁତାବକ ଆସନ୍ତା କାଲି (ଜୁନ-୨୩)ରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଥିଲା । ହେଲେ ଅଚାନକ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହେବା କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୋମବାର ଦିନ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ସୂଚନା ଥାଉକି ସମାନ ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ୫୦ ଘଂଟା ଧରି ଜେରା କରିସାରିଲାଣି । ଏହି କ୍ରମରେ ଅର୍ଥ ହେରଫେର ନେଇ ତାଙ୍କର ବୟାନ ରେକର୍ଡ କରାଯାଇଛି । ସେପଟେ ଇଡିର ଏଭଳି କାର୍ଯ୍ୟକୁ ବିରୋଧ କରି କଂଗ୍ରେସ ସତ୍ୟାଗ୍ରହ ଚଳାଇଛି ।