ସୋନିଆ ଗାନ୍ଧିଙ୍କ ରୋଲ ପାଇଁ ଚେହେରା ମିଳିଗଲା ! ଜର୍ମାନ ଅଭିନେତ୍ରୀ ସୁଜାନେ ଏବଂ ସୋନିଆଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ନେଇ ଚର୍ଚ୍ଚା

38

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ଜୀବନୀକୁ ନେଇ ତିଆରି ହେଉଛି ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍ ମିନିଷ୍ଟର’ । ଏହି ଫିଲ୍ମଟି ସଞ୍ଜୟ ବରୁ ଲେଖିଥିବା ବହିରୁ ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଉଥିବା ବେଳେ ମନମୋହନ ସିଂଙ୍କ ଭୂମିକାରେ ନଜର ଆସୁଛନ୍ତି ବର୍ଷିୟାନ ଅଭିନେତା ଅନୁପମ ଖେର୍ । ପୂର୍ବରୁ ଅନୁପମ ଖେର୍ଙ୍କ ଫିଲ୍ମରେ ଥିବା ପ୍ରଥମ ଦୃଶ୍ୟ ରିଲିଜ ହୋଇ ସାରିଥିବା ବେଳେ ତାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

କିନ୍ତୁ ଫିଲ୍ମରେ ଥିବା ସୋନିଆ ଗାନ୍ଧିଙ୍କ ଚରିତ୍ରରେ କାହାକୁ ନିଆଯିବ ସେ ନେଇ ନିର୍ମାତା ଏବଂ ପ୍ରଯୋଜକ ଉଭୟ ଚିନ୍ତାରେ ରହିଥିଲେ । ଅନେକ ଖୋଜିବା ପରେ ମଧ୍ୟ ତା’ଙ୍କୁ ସୋନିଆ ଗାନ୍ଧିଙ୍କ ଚରିତ୍ର କରିବା ପାଇଁ ଅଭିନେତ୍ରୀ ମିଳି ନ ଥିଲେ । ଏବେ ସେମାନଙ୍କର ଏହି ଅସୁବିଧା ଦୂର ହୋଇଛି ବୋଲି ଶୁଣିବାକୁ ମିଳିଛି । ସୋନିଆ ଗାନ୍ଧିଙ୍କ ଚରିତ୍ରରେ ଜଣେ ଜର୍ମାନ ଅଭିନେତ୍ରୀ ସୁଜାନେ ବର୍ନର୍ଟ ଅଭିନୟ କରୁଥିବା ଜଣା ପଡ଼ିଛି । ଫିଲ୍ମରେ ଥିବା ଅଭିନେତ୍ରୀଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ସୋନିଆ ଗାନ୍ଧିଙ୍କ ସହ ତାଙ୍କର ଅନେକ ସାମଞ୍ଜସ୍ୟ ରହିଛି ବୋଲି ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।ପୂର୍ବର ସେ ଅନେକ ଧାରାବାହିକରେ ନଜର ଆସି ସାରିଥିବା ଜଣା ପଡ଼ିଛି । ଅଭିନେତ୍ରୀ ଜଣଙ୍କ ବଙ୍ଗଳା, ହିନ୍ଦୀ ଏବଂ ମରାଠୀ ଭାଷା ଭଲ ଭାବରେ କହି ପାରୁଥିବା ବେଳେ ପ୍ରସିଦ୍ଧ ଧାରାବାହିକ ‘ପ୍ରଧାନମନ୍ତ୍ରୀ’ରେ ମଧ୍ୟ ସେ ନଜର ଆସି ସାରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ବିଜୟ ଗୁଟ୍ଟେ ଥିବା ବେଳେ ଫିଲ୍ମଟି ଡ଼ିସେମ୍ବର ୨୧,୨୦୧୮ରେ ରିଲିଜ ହେବ ବୋଲି ଜଣା ପଡ଼ିଛି । ଏହି ଫିଲ୍ମରେ ଅନୁପମ ଖେର୍ ଏବଂ ସୁଜାନେଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା ମଧ୍ୟ ନଜର ଆସିବେ ।