କନକ ବ୍ୟୁରୋ: ଏହା ଶୁଣି ଅଜବ ଲାଗୁଥିଲେ ବି ଏହା ପୁରା ସତ । ୟୁରୋପର ହଙ୍ଗେରୀରେ ଘଟୁଥିଲା ଏଭଳି ଘଟଣ । । ୧୯୩୩ ମସିହାର ଘଟଣା । ପ୍ରଥମ ବିଶ୍ୱଯୁଦ୍ଧ ସରିଆସୁଥାଏ । ପୁଣି ମୁଣ୍ଡ ଟେକୁଥାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏ ସମୟରେ ଲୋକଙ୍କ ଜୀବନ ଶୈଳୀ ଓ ଆର୍ଥିକ ମେରୁଦଣ୍ଡ ବିପର୍ଯ୍ୟସ୍ତ ହୋଇପଡିଥାଏ । ଏ ଘଟଣା ଏହି ସମୟର ।

Advertisment

ଏ କାହାଣୀ ଦୁନିଆଁର ଏକ ପ୍ରସିଦ୍ଧ ଗୀତର । ଏହି ଗୀତର ପ୍ରସ୍ତୁତି ଯେତିକି ରୋଚକ ଏହା ପରର କାହାଣୀ ସେତିକି ଭୟଙ୍କର । ହଙ୍ଗେରୀର ଜଣେ ଗୀତିକାର ରିଜସୋ ସେରେସ୍ ରିଜସୋ ଏକ ରୋଷ୍ଟୋରାଣ୍ଟ ରେ ପିଆନୋ ବାଦକ ଭାବେ କାମ କରୁଥିଲେ । ସେଠାରେ ମହିଳା ୱେଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ହେଲେ ପ୍ରେମିକା ଚାହୁଁଥିଲେ ରିଜସୋ ଏହି କାମ ଛାଡି ଆଉ କିଛି କାମ କରନ୍ତୁ ଯାହାଦ୍ୱାରା ବିବାହ ପରେ ଦୁହିଁଙ୍କ ଜୀବନ ଭଲରେ ଚଳିବ । ହେଲେ ପିଆନୋକୁ ଛାଡିବାକୁ ରାଜିନଥିଲେ ରିଜସୋ । ଏହି ଘଟଣାକୁ ନେଇ ପ୍ରେମିକା ତାଙ୍କ ଠାରୁ ସମ୍ପର୍କ ତୁଟାଇଥିଲେ । ଏହି ଘଟଣାକୁ ନେଇ ରିଜସୋ ଭାଙ୍ଗିପଡିଥିଲେ ।

ଦିନେ ରବିବାର ଏକ ବନ୍ଦ ଘରେ ବସି କାଗଜ କଲମରେ ନିଜ ମନର ସବୁ ଯନ୍ତ୍ରଣାକୁ ଉତାରି ଦେଇଥିଲେ । ଏହିଥିରୁ ସୃଷ୍ଟି ହେଲା ଏକ ଅଧୁରା ପ୍ରେମ କାହାଣୀର ଗୀତ, ଯାହାର ନାଁ ଦେଲେ ‘ଗ୍ଲୁମି ସନଡେ’ । ଲିରିକ୍ସ ତ ପ୍ରସ୍ତୁତ ହୋଇଗଲା ହେଲେ ଏହାକୁ ଗୀତରେ ସଜାଇବାକୁ ନିର୍ଦ୍ଦେଶକ ଖୋଜିଲେ ଆଉ ପାଇଲେ ବି । ସେତେବେଳେର ନାମକରା ମ୍ୟୁଜିକ୍ କମ୍ପୋଜର ଲାସେଲୋ ଜୋବର ଏହାକୁ ଗୀତରେ ସଜାଇଲେ । ଲୋକଲୋଚନକୁ ଆଣିବାକୁ ପବ୍ଲିସରଙ୍କ ଖୋଜା ଚାଲିଲା । ଏହାକୁ ଅନେକ ପବ୍ଲିସର ନାପସନ୍ଦ କରିଥିଲେ । ଯେଉଁ ପବ୍ଲିସର ଶୁଣିଲେ ପର ମୁହୂର୍ତ୍ତରେ ଆତ୍ମହତ୍ୟା କରିଥିଲେ ।

ହାରିଯାଇଥିବା ପ୍ରେମର ଦୟନୀୟ କାହାଣୀକୁ ବଖାଣୁଥିବା ଏହି ଗୀତ ୩ ବର୍ଷ ଭିତରେ ପାଖାପାଖି ୨୦୦ ଜୀବନ ନେଲା । କାରଣ ଟାଇମ୍ସ ମାଗାଜିନରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ସେତେବେଳେ ଯିଏ ଆତ୍ମହତ୍ୟା କରୁଥିଲେ ସେମାନଙ୍କ ରୁମରୁ ଏହି ଗୀତର କିଛି ଲେଖା ମିଳୁଥିଲା ନଚେତ୍ ମୃତକଙ୍କ ରୁମରେ ଗ୍ରାମୋଫୋନରେ ଏହି ଗୀତର ରେକର୍ଡ ବାଜୁଥିବା ମିଳୁଥିଲା ।

ଆତ୍ମହତ୍ୟା ଘଟିବା ସତ୍ତେ୍ୱ ଏହି ଗୀତର ଲୋକପ୍ରିୟତା ଏତେ ବଢିଗଲା ଯେ ଏହାକୁ ଏକାଧିକ ଭାଷାରେ କମ୍ପୋଜ୍ କରାଗଲା । ବିଭିନ୍ନ ୟୁରୋପୀୟ ଦେଶରେ ଏହି ଗୀତ ଯୋଗୁଁ ଆତ୍ମହତ୍ୟା ଘଟଣା ଆସିବା ପରେ ଦୀର୍ଘ ୬୦ ବର୍ଷ ପାଇଁ ଏହାକୁ ବ୍ୟାନ୍ ଲାଗଇଲା ବିବିସି । ୨୦୦୪ରେ ଏହାର ପୁନଃ ପ୍ରସାରଣ କରାଯାଇଥିଲେ ବି ଏହା ଉପରେ କଟକଣା ଲଗାଯାଇଛି । ହେଲେ ଏ ଗୀତର ରହସ୍ୟ ଏଯାଏଁ ଜଣାପଡିନି ।

ନିକଟ ଅତୀତରେ ଏଭଳି ଅନେକ ଘଟଣା ଘଟିଛି ଯାହା ଦେଶ ବିଦେଶରେ ଆତ୍ମହତ୍ୟା ଭଳି ଘଟଣାକୁ ପ୍ରୋତ୍ସାହିତ କରିଥିବା ଦେଖାଯାଇଛି । ବ୍ଲୁହ୍ୱେଲ, ମୋମୋ ଚ୍ୟାଲେଞ୍ଜ ଭଳି ଗେମ୍ ଦ୍ୱାରା ଅନେକ ଅଘଟଣ ଘଟିବା ପରେ ଏହି ଗେମ୍ ଉପରେ କଟକଣା ଲଗାଇଛନ୍ତି ସରକାର ।