ସାରା ପଶ୍ଚିମ ଓଡିଶାରେ ବରା ତିଆରି କରାଯାଉଥିବା ବେଳେ ସୋନପୁରର ମସଲା ବରା ବା ଚାଉଳ ବରା ସୁବର୍ଣ୍ଣପୁରକୁ ଦେଇପାରିଛି ଏକ ସ୍ବତନ୍ତ୍ର ପରିଚୟ । ଚାଉଳ ଓ ବିରିରେ ତିଆରି ଏହି ବରା ରାଜା ରାଜୁଡା ଅମଳରୁ ଏଠାରେ ତିଆରି ହେଉଥିବା ବେଳେ ବରାର ଉତ୍ପତ୍ତି ଏହି ଠାରୁ ବୋଲି ଐତିହାସିକମାନେ ମତ ଦିଅନ୍ତି। ଏପରିକି ବ୍ରିଟିସ ଶାସନରେ ଗୋରାସାହେବମାନଙ୍କୁ ଜଳଖିଆରେ ମସଲା ବରା ଦେଇ ଖୁସୀ କରାଯାଉଥିଲା ବୋଲି ଶୁଣିବାକୁ ମିଳେ । ଏବେ ବି ଏହି ମସଲା ବରାର ଚାହିଦା ବଜାୟ ରହିଛି ।
ମସଲା ବରା । ଏହାକୁ କେହି କେହି କହନ୍ତି ଚାଉଳ ବରା ତ ଆଉ କିଏ କହନ୍ତି ଉଲି ବରା । ହେଲେ ମସଲା ବରା ନାଁ ଶୁଣିଲେ ପାଟିରୁ ଲାଳ ବୋହିଯାଏ । ସକାଳ ହେଉ କି ସଂନ୍ଧ୍ୟା ହେଉ ମସଲା ବରା ଛଣାଯାଉଥିବା ଠେଲାମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ । ସୁବର୍ଣ୍ଣପୁର ସହରର ବ୍ଲକ ଛକ, କଚେରୀ ଛକ, ମଝିପଡା ଛକ, ବସଷ୍ଟାଣ୍ଡ, ବଡବଜାର ଆଦି ଅନେକ ଜାଗାରେ ଶତାଧିକ ଠେଲା ଗାଡିରେ ଏହି ମସଲା ବରା ପ୍ରସ୍ତୁତ କରି ବିକ୍ରି କରାଯାଏ । ସୋନପୁରିଆମାନଙ୍କ ମୁଖ୍ୟ ଜଳଖିଆ ହେଉଛି ଏହି ମସଲା ବରା । ଖାଲି ସୋନପୁରିଆ ନୁହେଁ ବାହାରୁ ଆସିଥିବା ଅତିଥି ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କର ପ୍ରଥମ ପସନ୍ଦ ମସଲା ବରା । ଯିଏ ଥରେ ଏହି ମସଲା ବରାର ସ୍ବାଦ ପାଇଛି ବାରମ୍ବାର ଏହା ଖାଇବା ପାଇଁ ଆଗ୍ରହ ଦେଖାଉଥିବା କହିଛନ୍ତି ସାଧାରଣ ଲୋକ ।
ମସଲା ବରାର ପ୍ରସ୍ତୁତି : ବିରି ବଟା ଏକ ଭାଗ ସାଙ୍ଗକୁ ଚାଉଳ ବଟା ତିନିଭାଗ ମିସାଇ ଫେଣ୍ଟା ଯାଇଥାଏ । ଏଥିରେ ମସଲା , ଲୁଣ, ପିଆଜ, ଧନିଆଁ ପତ୍ର, ଭୁଷଙ୍ଗ ପତ୍ର ସାଙ୍ଗକୁ କଞ୍ଚା ଲଙ୍କା ମିଶାଇ ତେଲରେ ଛଣାଯାଇଥାଏ । ଏହାକୁ ଚଟଣୀ କିମ୍ବା ଚଣା ମସଲା ତରକାରୀରେ ଖାଇଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥାଏ । ରାଜା ରାଜୁଡା ଅମଳରୁ ପ୍ରସ୍ତୁତ ହେଉଥିବା ଏହି ବରା ତିଆରି କରି ବେଶ୍ ନାଁ କମାଇ ପାରିଛନ୍ତି ଏଠାକାର ଗୁଡିଆଣୀମାନେ । ଅସିନ ଗୁଡ଼ିଆଣୀ, ଧୁବଣୀ ଗୁଡିଆଣୀ , ଗୁରୁବାରୀ ଗୁଡିଆଣୀର ତିଆରି ମସଲା ବରା ଏପର୍ଯ୍ୟନ୍ତ ଲୋକେ ମନେ ପକାଉଛନ୍ତି । କେବଳ ସୋନପୁର ନୁହେଁ ଜିଲ୍ଲାର ବୀରମହାରାଜପୁର,ବିନିକା, ତରଭା, ଉଲୁଣ୍ଡା ଆଦି ଅଂଚଳରେ ଲୋକଙ୍କ ମୁଖ୍ୟ ଜଳଖିଆ ଭାବେ ମସଲା ବରା ହିଁ ପ୍ରଥମ ପସନ୍ଦ । ଓଡିଶାର ପ୍ରତ୍ୟେକ ଜିଲ୍ଲା କିଛି ନା କିଛି ଜିନିଷ ପାଇଁ ପ୍ରସିଦ୍ଧି ପାଇଥିବା ବେଳେ ସୋନପୁରର ମସଲା ବରା ବେଶ ନାଁ କରିଛି ସାରା ଓଡିଶାରେ । ଏହି ଚାଉଳ ବରାର ପ୍ରଚାର ପ୍ରସାର ହେଲେ ଏହା ଆହୁରି ବି ଲୋକଙ୍କୁ ଆକର୍ଷିତ କରି ପାରିବ ନିଶ୍ଚୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/BARA.jpg)
/kanak/media/post_attachments/wp-content/uploads/2019/12/69656110_130983284937503_3882389138851736868_n-300x252.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-11-12h04m28s502-300x225.png)