ସୋନପୁର ରାଜନୀତି ଜଟିଳ ସ୍ଥିତି ! ବିଜୟ ତିଳକ ପିନ୍ଧିବାକୁ ବିଜେଡିର ଆଶାୟୀ ଜଣେ, ଦ୍ୱନ୍ଦରେ ବିଜେପି-କଂଗ୍ରେସ ।

906

କନକ ବ୍ୟୁରୋ: ରାଜ୍ୟ ରାଜନୀତିର ଗଣିତ ଏବେ ଜଟିଳ ହେବାରେ ଲାଗିଛି । କାହାର ଗଡ଼ ସୁରକ୍ଷିତ ରହିବ ଆଉ କାହାର ଭାଙ୍ଗିବ ତାକୁ ନେଇ ଉଷ୍ମ ହେଉଛି ରାଜନୀତି ପାରଦ । ତେବେ ଗତ ଦୁଇ ଦଶନ୍ଧି ଧରି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦବଦବା ରଖିଛି ବିଜେଡି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । କିନ୍ତୁ ବିଧାନସଭା ପୁନଃ ନିର୍ଦ୍ଧାରଣ ପରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆସନରୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ବିଜୟ ତିଳକ ପିନ୍ଧି ଅନେକ ଗୁରୁତ୍ବପୁର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ବ ତୁଲାଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଣିପାଗ ପୁରା ବଦଳିଯାଇଛି । ଯାହା ଉଭୟ ବିରୋଧୀଙ୍କ ପାଇଁ ନୂଆ ଆଶା ସଂଚାର କରିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ବଜେଡ଼ିକୁ ଟକ୍କର ଦେଇ ୧୩ଟି ଆସନରୁ ୧୧ଟି ଆସନ ଅକ୍ତିଆର କରି ବିଜେପି ଦବଦବା ଜାହିର କରିଥିଲା । ତେଣୁ ଆଗାମୀ ନିର୍ବାଚନରେ ସୋନପୁର ରାଜନୀତି କଡ଼ ଲେଉଟାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏଠାରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡିରୁ ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କାରଣ ଏଯାବତ୍ ଅନ୍ୟ କେହି ଆଶାୟୀ ଲୋକଲୋଚନକୁ ଆସିନାହାନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମୟରେ ଜିଲ୍ଲାରେ ରାସ୍ତାଘାଟ ଉନ୍ନତି, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ବାସ୍ଥ୍ୟରେ ବିକାଶ ହୋଇଥିବା କଥା ବିଜେଡି କହୁଥିବାବେଳେ ଜିଲ୍ଲାରେ ଅନେକ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିନଥିବା ପ୍ରସଙ୍ଗକୁ ରାଜନୈତିକ ମୁଦ୍ଦା କରିବା ପାଇଁ ବିରୋଧୀ ଅଣ୍ଟା ଭିଡ଼ିଛନ୍ତି । ଯାହାକି ବିଜେଡି ପାଇଁ ଅଡୁଆ ସୃଷ୍ଟି ପରିପାରେ ବୋଲି ଶୁଣିବାକୁ ମିଳୁଛି ।

ଏହି ନିର୍ବାଚନ ମଣ୍ଡଳରେ ବିରୋଧୀ ଦଳ ମଧ୍ୟରେ ବିଜେପି ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ହୋଇପାରେ କାରଣ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧରେ ମୋଦି ଲହର ଭାରି ପଡ଼ିଥିଲା । ଯେଉଁଥିପାଇଁ ସୋନପୁରର ୧୩ ପଞ୍ଚାୟତ ଆସନରୁ ୧୧ଟି ଆସନକୁ କବଜାକୁ ନେଇ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ଗଡ଼କୁ ଭାଙ୍ଗିବା ପାଇଁ ଯୋଜନା କରୁଛି ଦଳ । ହେଲେ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା ରାଜ୍ୟ ନେତୃବୃନ୍ଦଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏହି ଆଶାୟୀଙ୍କ ମଧ୍ୟରେ ସର୍ବ ପ୍ରଥମ ରହିଛନ୍ତି ପ୍ରମୋଦ ମହାପାତ୍ର, ବଳଦେବ ଦେବାଙ୍ଗ । ସେହିଭଳି ଅନ୍ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଅଚ୍ୟୁତ ବିଶ୍ବାଳ, ଅଶୋକ ପୂଜାରୀ, ଶରତ ଶତପଥୀ, ବିମଳଚନ୍ଦ୍ର ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ଭଳି କିଛି ନୂଆ ଚେହେରା ।

ସେହିଭଳି ନୂଆ କଂଗ୍ରେସ ହାଇକମାଣ୍ଡ ଓ ନୂତନ ପିିସିସି ମୁଖିଆଙ୍କ ରଣନୀତିରେ କଂଗ୍ରେସ ମଧ୍ୟ ଏଠାରେ ବିଜୟ ହେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ କଂଗ୍ରେସରୁ ଟିକେଟ ପାଇବା ପାଇଁ ଜିଲ୍ଲା ସଭାପତି ଶଙ୍କର ଦାଶ, ପିସିସି ସଭ୍ୟ ସର୍ବେଶ୍ବର ପୁରୋହିତ, ବରିଷ୍ଠ ନେତା ଚିତ୍ତରଞ୍ଜନ ମିଶ୍ର ଓ ଯୁବ ନେତା ଚନ୍ଦ୍ରମଣି ତ୍ରିପାଠୀଙ୍କ ଭଳି ପ୍ରମୁଖ ନେତାମାନେ ଆଶାୟୀ ଅଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ, ଉଭୟ କଂଗ୍ରେସ ଓ ବିଜେପିରେ ଆଶାୟୀ ସଂଖ୍ୟା ଅଧିକ ଥିବାରୁ ଟିକେଟ ନପାଇଲେ ଦଳ ବିରୋଧୀ କାର୍ଯ୍ୟ କରି ଭୋଟ୍ ବିଭାଜନ କରିପାରନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ସୋନପୁର ରାଜନୀତି କେଉଁ ମୋଡ଼ ନେଉଛି ଏବଂ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ କିଏ କର୍ଣ୍ଣଧାର ପାଲଟିବ ତାହାକୁ ନେଇ କଳ୍ପନା ଜଳ୍ପନା ।