ବାହା ହେଲେ ବଲିଉଡ୍ ରାଂଝଣା । ସୋନମ୍ କପୁରଙ୍କ ଜୀବନରେ ‘ଆନନ୍ଦ’

25

କନକ ବ୍ୟୁରୋ: ବାଜିଲା ସୋନମଙ୍କ ଶେହେନାଇ । ମେହନ୍ଦୀ ଓ ସଙ୍ଗୀତ ପରେ ଆଜି ସରିଛି ବାହାଘର । ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ଅନୀଲ କପୁରଙ୍କ ଝିଅ ସୋନମ୍ । ଏହାକୁ ନେଇ କପୁର ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଶ୍ରୀଦେବୀଙ୍କ ଝିଅ ତଥା ସୋନମଙ୍କ ଭଉଣୀ ଜାହ୍ନବୀ ଓ ଖୁସି ମଧ୍ୟ ଯୋଗ ଦେଇଛନ୍ତି ଏହି ବିବାହରେ । ଅନ୍ୟପଟେ ନାମୀ ବଲିଉଡ ତାରକାଙ୍କ ଉପସ୍ଥିତି ବିବାହକୁ ବହୁଚର୍ଚ୍ଚିତ କରିଛି ।

ବିବାହ କରିଛନ୍ତି ସୋନମ୍ କପୁର । ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ହାତ ଧରିଲେ ଅନୀଲ କପୁରଙ୍କ ଲାଡଲୀ । ଭାଇ ଅର୍ଜୁନ ଓ ହର୍ଷବର୍ଦ୍ଧନ କପୁର ସୋନମଙ୍କ ମୁଣ୍ଡ ଉପରେ ଚାଦର ରଖି ତାଙ୍କୁ ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ । ସୋନମଙ୍କ ମାଉସୀ କବିତା ସିଂଙ୍କ ବାନ୍ଦ୍ରା ବାସଭବନରେ ପଂଜାବୀ ରୀତିନୀତିରେ ଶେଷ ହୋଇଛି ଏହି ବିବାହ । ବିବାହ ଶେଷ ହେବା ପରେ ନବଦମ୍ପତି ସୋନମ୍ ଓ ଆନନ୍ଦ ଏକ କେକ୍ କାଟିଛନ୍ତି । ସୋନମଙ୍କ ବିବାହ ବେଳର ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଆଜି ସନ୍ଧ୍ୟାରେ ମୁମ୍ବାଇର ହୋଟେଲ୍ ଲୀଲାରେ ଅନୁଷ୍ଠିତ ହେଉଛି ଦୁହିଁଙ୍କ ରିସେପ୍ସନ୍ ।

ବଲିଉଡର ଏହି ବହୁଚର୍ଚ୍ଚିତ ବିବାହ ଉତ୍ସବରେ ଅନେକ ନାମୀ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଅମିତାଭ ବଚ୍ଚନଙ୍କଠାରୁ ଆମୀର ଖାନ୍ ଓ ରାନୀ ମୁଖାର୍ଜିଙ୍କ ପରି ଅନେକ ପରିଚିତ କଳାକାର ଯୋଗ ଦେଇଥିଲେ ଆନନ୍ଦ-ସୋନମଙ୍କ ବିବାହରେ । ସେହିପରି ସୋନମଙ୍କ ବିବାହ ନେଇ କପୁର ପରିବାରରେ ବି ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ଅନ୍ୟପଟେ ସୋନମଙ୍କ ବଡ଼ମା’ ଶ୍ରୀଦେବୀଙ୍କ ମୃତ୍ୟୁର ଅଳ୍ପଦିନ ମଧ୍ୟରେ ବିବାହ ହୋଇଥିବାରୁ ଏହାକୁ ନେଇ ସୋନମଙ୍କୁ କଡ଼ା ସମାଲୋଚନା ବି କରାଯାଇଛି ସୋସିଆଲ୍ ମିଡ଼ିଆରେ । ତେବେ ଖୁସିର ମାହୋଲ୍ ଉପରେ ପ୍ରଭାବ ପକାଇପାରିନାହିଁ ସୋସିଆଲ୍ ୟୁଜରଙ୍କ କଟୁ ମନ୍ତବ୍ୟ । ଅନ୍ୟପଟେ ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସୋନମ୍ କପୁର-ଆନନ୍ଦ ଆହୁଜାଙ୍କ ପ୍ରେମକାହାଣୀରେ ଏଥିସହ ଆସିଛି ସୁଖଦ ସମାପ୍ତି ।