ପାର୍ଟିରେ ଜୋରଜବରଦସ୍ତି ସୋନାଲିଙ୍କୁ ପିଆଯାଇଥିଲା କିଛି ପଦାର୍ଥ । ୨ ଘଣ୍ଟା ଧରି ଶୌଚାଳୟରେ ରଖାଯାଇଥିଲା, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ ।

613
କନକ ବ୍ୟୁରୋ : ବିଜେପି ନେତ୍ରୀ ସୋନାଲି ଫୋଗଡଙ୍କ ମୃତ୍ୟୁର ବଡ ଖୁଲାସା । ଗୋଆ ପୋଲିସ ଯେଉଁ ତଥ୍ୟ ସାମ୍ନାକୁ ଆଣିଛି ତାହା ସମସ୍ତଙ୍କୁ ଚକିତ କରିଦେବ । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଗୋଆ ପୋଲିସ ହାତରେ ଲାଗିଛି ବଡ ତଥ୍ୟ । ସୋନାଲି ଫୋଗଡଙ୍କୁ ପାର୍ଟିରେ ଜୋରଜବରଦସ୍ତି କିଛି କେମିକାଲ ଦିଆଯାଇଥିଲା । ଯାହା ସିସିଟିଭିରୁ ସ୍ପଷ୍ଟ ଜଣାପଡିଛି । ଗୋଆ ପୋଲିସ ଆଇଜି ଓମବୀର ସିଂ ବିଷ୍ଣୋୟୀ କହିଛନ୍ତି ସୋନାଲିଙ୍କ ପୋଷ୍ଟମର୍ଟମ ପରେ  ଆମେ ଯାଞ୍ଚ ଆରମ୍ଭ କରିଥିଲୁ ଏବଂ ଏହି ଯାଞ୍ଚ  ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଆଉ ପଚରାଉଚରା ସମୟରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା ।
ସୋନାଲି ଫୋଗଡଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ହତ୍ୟା ମୋକଦ୍ଦମା ରୁଜୁ କରି ପଚରାଉଚରା ଆରମ୍ଭ କରିଥିଲା ଗୋଆ ପୋଲିସ  । ଯେଉଁ ସ୍ଥାନକୁ ସୋନାଲି ଯାଇଥିଲେ ସେଠାରେ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଆଉ ସିସିଟିଭିରୁ ଆସିଥିଲା ସାଂଘାତିକ ସତ । ସୋନାଲି ଫୋଗଡଙ୍କୁ ଜୋର ଜବରଦସ୍ତି ପାନୀୟରେ ଡ୍ରଗ୍ସ ଦିଆଯାଇଥିଲା । ଆଉ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ଶୌଚାଳୟକୁ ନିଆଯାଇଥିଲା । ତେବେ ଶୌଚାଳୟରେ ୨ ଘଣ୍ଟା ସୋନାଲିଙ୍କ ସହ କଣ ହୋଇଥିଲା ତାହା ଏଯାବତ ସ୍ପଷ୍ଟ କରିନାହାନ୍ତି ଅଭିଯୁକ୍ତ । ଏପରିକି ଗୋଆରେ ହୋଇଥିବା ପାର୍ଟିରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ସୋନାଲିଙ୍କ ସହ ଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି କହିଛନ୍ତି ଗୋଆ ପୋଲିସ ଆଇଜି ।

ସୋନାଲିଙ୍କ ମୃତ୍ୟୁକୁ ନେଇ ପ୍ରଥମରୁ ହିଁ ସନ୍ଦେହ ଉପୁଜିଥିଲା । ପରେ ପୋଷ୍ଟମର୍ଟମ ସମୟରେ ତାଙ୍କ ଦେହରେ କ୍ଷତ ଥିବା ଦେଖିବାକୁ ମିଳିଥିଲା । ଏହାଛଡା ସୋନାଲିଙ୍କ ମୃତଦେହ କିଛି ସମୟ ପରେ ନୀଳ ପଡିଯାଇଥିଲା । ଯାହାକୁ ନେଇ ସନ୍ଦେହ ଆହୁରି ଅଧିକ ବଢିଥିଲା ।