କନକ ବ୍ୟୁରୋ : ଟିକଟକ ଷ୍ଟାର ତଥା ହରିଆଣା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲା ଉପରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚିତ ହୋଇପାରୁ ନାହିଁ । ଏହାକୁ ନେଇ ଆଜି ତାଙ୍କ ଝିଅ ଯଶୋଧାରା ଫୋଗଟ ତାଙ୍କ ମା ମୃତ୍ୟୁ ମାମଲାରେ ସିବିଆଇ ଯାଂଚ କରାଇବାକୁ ଦାବି କରିଛନ୍ତି । ରବିବାର ଦିନ ହିସାର ଠାରେ ଆୟୋଜିତ ଏକ ଖାପ୍ ପଞ୍ଚାୟତରେ ଯଶୋଧାରା କହିଛନ୍ତି କି, ଆମର ସରକାରଙ୍କ ଉପରେ କୌଣସି ଭରସା ନାହିଁ । ଆମେ ଏହି ମାମଲାର ସିବିଆଇ ଯାଂଚ ପାଇଁ ଦାବି କରୁଛୁ । ସେପଟେ ସୋନାଲିଙ୍କ ଭଉଣୀ ରୂପେଶ କହିଛନ୍ତି କି ଏହି ମାମଲାରେ ରାଜନୈତିକ ଷଡଯନ୍ତ୍ର ଥିବା କଥାକୁ ବି ଅସ୍ୱୀକାର କରାଯାଇ ପାରିବ ନାହିଁ । ଏଣୁ ଏହି ମାମଲାର ସିବିଆଇ ଯାଂଚ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

Advertisment

ଅନ୍ୟପଟେ ଆଜି ହିସାରରେ ଅନୁଷ୍ଠିତ ହୋଇଥିବା ଖାପ୍ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି କି, ସୋନାଲିଙ୍କ ଝିଅ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଏକ ୫୦ ଜଣିଆ ପ୍ରତିନିଧିମଣ୍ଡଳ ସ୍ଥାନୀୟ ଏସପିଙ୍କୁ ଭେଟିବେ । ଏହାସହ ସିବିଆଇ ଯାଂଚ ପାଇଁ ନିର୍ଦ୍ଦେଶ ଦେବାକୁ ଏହି ଖାପ୍ ପଞ୍ଚାୟତ ସରକାରଙ୍କୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଯଦି ଏହି ତାରିଖ ସୁଦ୍ଧା ସରକାର ସିବିଆଇ ଯାଂଚ ପାଇଁ ନିର୍ଦ୍ଦେଶ ନ ଦିଅନ୍ତି ତେବେ ୨୪ ତାରିଖରେ ପୁଣି ଖାପ ପଞ୍ଚାୟତ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି ।