ବିଚାରପତି ହେବ କ୍ଷୀର ବିକାଳିର ଝିଅ । ଗୋବର ଗୋଟେଇ, ଗାଈ ଗୁହାଳରେ ପାଠପଢି ବିଚାରପତି ବନିଲେ ଗରିବ ଘରର ଝିଅ । ସୋନଲ ଶର୍ମା…

341

କନକ ବ୍ୟୁରୋ: ଆତ୍ମବିଶ୍ୱାସ ଆଗରେ ଆତ୍ମସମର୍ପଣ କଲା ଅଭାବ । ଜିତିଗଲା ଗରିବ ଝିଅ, ହାରିଗଲା ଦାରିଦ୍ରତା । ଇଚ୍ଛାଶକ୍ତି ସାମ୍ନାରେ ସଙ୍ଘର୍ଷର ପରିଭାଷା ବି ବଦଳିଗଲା । ହଁ ସିନେମାର ସୁନ୍ଦର ସ୍କ୍ରିପ୍ଟ ପରି ଏ ସତସତିକା କାହାଣୀ । ଯେଉଁଠି ଜଣେ କ୍ଷୀର ବିକାଳିର ଝିଅ ବିଚାରପତି ହୋଇଛି । ଅଭାବ ଅନଟନ ଭିତରେ ଭୟଙ୍କର ପରିସ୍ଥିତିକୁ ସାମ୍ନା କରି ଗରିବ ଝିଅ ସୁନା ଝିଅ ସାଜିଛି ଆଉ ସାରା ଦେଶ ପାଇଁ ଗାଇ ଜଗୁଆଳିରୁ ଜଜ ବନିଥିବା ସୋନଲଙ୍କୁ ସାବାସୀ ମିଳିଛି ।

ସୋନଲ ଶର୍ମା । ରାଜସ୍ଥାନ ଉଦୟପୁର ପ୍ରତାପ ନଗର ଅଞ୍ଚଳର ଜଣେ ଗରିବ ଓ ମେଧାବୀ ଝିଅ । ବାପା ଜଣେ ଗୋପାଳକ । କ୍ଷୀର ବିକି ଯାହା ରୋଜଗାର ହୁଏ ସେଇଥିରେ ଚଳେ ପରିବାର । ଆଉ ସେହି ତେଲଲୁଣର ସଂସାର ଭିତରେ ଝିଅ ସୋନଲ କିନ୍ତୁ ଦେଖନ୍ତି ବଡ ହେବାର ସ୍ୱପ୍ନ । ଧନ ସିନା ନାହିଁ ହେଲେ ଛାତିରେ ଅସୀମ ଧର୍ଯ୍ୟ । ସେହି ସାହସ, ସେହି ଆତ୍ମବିଶ୍ୱାସ ପାଇଁ ସୋନଲ କରନ୍ତି ଅକ୍ଳାନ୍ତ ପରିଶ୍ରମ । ଗୁହାଳରେ ଗାଈଙ୍କ ସେବା କରିବା ସହ ସେଇଠି ହିଁ ସେ ପଢାପଢି କରନ୍ତି । ଗୁହାଳରେ ଥିବା ତେଲ ଟିଣକୁ ଟେବୁଲ କରି ତାପରେ ବସି ନ୍ୟାୟିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି ସୋନଲ । ଆଉ ଶେଷରେ ସେ ସଫଳ ବି ହୁଅନ୍ତି ।

ତେବେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୨୬ ବର୍ଷୀୟ ସୋନଲ । ୨୦୧୮ରେ ୨ୟ ଥର ପରୀକ୍ଷା ଦେବା ପରେ ସେ ସଫଳ ଉତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ ଟିକେ କମ ନମ୍ବର ଥିବାରୁ ତାଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଥିଲା ଆଉ ଏଥର ସେ ପାସ୍ କରିଛନ୍ତି । ଆଉ ତାଙ୍କୁ ଏକ ସେସନ୍ସ କୋର୍ଟରେ ଦାୟିତ୍ୱ ମିଳିବ । ବର୍ଷେ ତାଲିମ ନେବା ପରେ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ତେବେ ବିଏ, ଏଲଏଲବି, ଏଲଏଲଏମରେ ସ୍ୱର୍ଣ୍ଣ ପଦକ ପାଇଥିବା ସୋନଲଙ୍କ ଏହି ସଫଳତା ପଛରେ ରହିଛି ଅନେକ ସଙ୍ଘର୍ଷ ।

ସେପଟେ ରାତି ୪ଟାରୁ ଉଠି ବାପାଙ୍କୁ ଗୁହାଳ କାମରେ ସାହାଯ୍ୟ କରନ୍ତି ସୋନଲ । ଗାଈ ଗୋବର ଉଠାଇବା, କ୍ଷୀର ଦୁହିଁବା ସହ ଗୁହାଳ ସଫା ସୁତୁରା ରଖନ୍ତି ସୋନଲ । ତେବେ ଅର୍ଥ ଅଭାବରୁ ବିନା କୋଟିଂରେ ଏହି ଗୁହାଳ ଘରେ ପାଠପଢି ବିଚାରପତି ବନିଛନ୍ତି ସୋନଲ । ଆଉ ଝିଅର ଏହି ସଫଳତାରେ ପୂରା ପରିବାର ଖୁସି ଥିବା ବେଳେ ଗର୍ବ କରୁଛି ପୂରା ସହର । ଗାଈ ଗୁହାଳରୁ ଜଜ ବନି ଏବେ ସବୁ ଝିଅଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୋନଲ ।