ଶ୍ମଶାନରୁ ଆସିଲା ପୁଅର ଦୁଃଖ । ୪୦ ଘଣ୍ଟା ଧରି ଛିଡା ହୋଇଛନ୍ତି ପୁଅ କିନ୍ତୁ ହୋଇପାରୁନାହିଁ ବାପାଙ୍କ ଅନ୍ତିମ ସଂସ୍କାର ।

278

କନକ ବ୍ୟୁରୋ : ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ପରେ ଏବେ ଦେଶର ଅନେକ ସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଠାରୁ ନେଇ ଶ୍ମଶାନରେ ଶବଦାହ କରିବା ପାଇଁ ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଏ ନେଇ ମୃତକଙ୍କ ପରିବାରକୁ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ହେଉଛି।

ଝାଡ଼ଖଣ୍ଡରେ କରୋନା ଚିକିତ୍ସା ପାଇଁ ପ୍ରଥମେ ହସ୍ପିଟାଲରେ ବେଡ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ ଶବ ସଂସ୍କାର ପାଇଁ ଶ୍ମଶାନରେ ଲାଇନ ଦେବାକୁ ପଡ଼ୁଛି। ରାଜଧାନୀ ରାଞ୍ଚିରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଛି। ଶବକୁ ଶ୍ମଶାନ ଘାଟ ନେବା ପରେ ଶବ ସଂସ୍କାର ପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି।

ଗତ ରବିବାର ସ୍ଥିତି ବହୁତ ଖରାପ ହୋଇଥିଲା। ହରମୁସ୍ଥିତ ଶ୍ମଶାନ ଘାଟକୁ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ୧୩ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା। ଏହି ମୃତକଙ୍କୁ ଗ୍ୟାସ କ୍ରିମେଟୋରିୟମରେ ଦାହ କରାଯାଉଥିଲା। କିନ୍ତୁ ମେସିନରେ ଯାନ୍ତ୍ରିକ ତ୍ରୁଟି ହେତୁ ଶବଦାହ ହୋଇପାରୁ ନଥିଲା। ଫଳରେ ମୃତକଙ୍କ ପରିବାରଲୋକ ଶବ ନେଇ ଶ୍ମଶାନ ଘାଟର ମୁଖ୍ୟ ଦ୍ବାରରେ ଅନେକ ସମୟ ଧରି ଛିଡ଼ା ହୋଇ ରହିଥିଲେ। ଏଭଳି ପରିସ୍ଥିତି ଦେଖିବା ପରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ ଦେବା ପରେ ବିଳମ୍ବିତ ରାତିରେ ଶବଗୁଡ଼ିକୁ ଘାଘରା ନେଇ ଅନ୍ତିମ ସଂସ୍କାର କରାଯାଇଥିଲା।

ଜଣେ ମୃତକଙ୍କ ପୁତ୍ର ରମେଶ ତିର୍କିଙ୍କ କହିବାନୁସାରେ, ୪୦ଘଣ୍ଟା ଧରି ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଛିଡ଼ା ହୋଇଥିଲି। କେହି ହେଲେ ସାହାଯ୍ୟ କରୁ ନଥିଲେ। ବହୁତ ଅସୁବିଧା ବି ହେଉଥିଲା। ମୃତଦେହ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟ ପହଞ୍ଚିଥିବା ଆମ୍ବୁଲାନ୍ସ ଚାଳକ ବି ବ୍ୟସ୍ତ ହୋଇପଡ଼ିଥିଲେ। ପ୍ରଚଣ୍ଡ ଖରା ସହିତ ଗରମ ହେଉଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ପିପିଇ କିଟ ପିନ୍ଧି ରହିବାକୁ ପଡ଼ିଥିଲା।