ବାପା ପୋଲିସ, ପୁଅ ଲୁଟେରା ! ପୋଲିସ ବାପାର ବନ୍ଧୁକ ମୁନରେ ଲୁଟ୍ କରୁଥିଲା ପୁଅ, ପୋଲିସ ଚକ୍ରବ୍ୟୁହରେ ଫଶିଗଲା ।

216

କନକ ବ୍ୟୁରୋ : ବାପା ପୋଲିସ, ପୁଅ ଲୁଟେରା । ସୁନ୍ଦରଗଡ ଟାଉନ ଥାନା ହସ୍ପିଟାଲ ରୋଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କରେ ବନ୍ଧୁକ ମୁନରେ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଉଥିବା ବେଳେ ଲୁଟେରାକୁ କାବୁ କରିଛି ପୋଲିସ । ବ୍ୟାଙ୍କରୁ ଲୁଟ୍ କରିବା ପରେ ଅନ୍ୟ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରି ବାଇକରେ ଯାଉଥିବା ବେଳେ ଶଙ୍କରା ନିକଟରେ ପୋଲିସ ସହ ଗୁଳି ବିନିମୟ ହୋଇଥିଲା । ବେଶ କିଛି ସମୟ ଗୁଳି ବିନିମୟ ପରେ ପୋଲିସ ଗୁଳିରେ ଆହତ ହୋଇଥିଲା ଲୁଟେରା । ପୋଲିସ ଗୁଳିରେ ଲୁଟେରା ଜଣକ ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶଙ୍କରା ଠାରେ ଗୁଳି ବିନିମୟ ବେଳେ ଲୁଟେରା ଜଣକ ୨ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୋଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଫାୟାର କରାଯାଇଥିଲା । ଲୁଟେରାକୁ କାବୁ କରିବା ପରେ ତାହା ଠାରୁ ବନ୍ଧୁକ ଓ ଲୁଟ୍ ଟଙ୍କା ଜବତ କରିଛି ପୋଲିସ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋଲିସ ବନ୍ଧୁକରୁ ହିଁ ପୋଲିସକୁ ଗୁଳିଚାଳନା କରାଯାଇଥିଲା । କାରଣ ଲୁଟେରା ଯୁବକଙ୍କ ବାପା ପୋଲିସରେ ଥିବା ସୂଚନା ମିଳିଛି । ଲୁଟେରା ଜଣକ ସଦର ଥାନାରେ ଏଏସଆଇ ଥିବା ପୋଲିସ ଅଧିକାରୀଙ୍କ ପୁଅ ବୋଲି ସୂଚନା ମିଳିଛି । ଆଉ ବାପାଙ୍କ ବନ୍ଧୁକ ମୁନରେ ପୁଅ ଲୁଟ୍ କରିଥିବା କୁହାଯାଉଛି ।