କନକ ବ୍ୟୁରୋ: ଆଖିରେ ଆଖିଏ ଅପେକ୍ଷା । ପୁଅ ଆସିବ, ମାଆକୁ ଘରକୁ ନେଇଯିବ । ବୁଢା ବୟସରେ ବାକିତକ ଜୀବନ ଘରେ ବିତିବ । ଛାତିରେ ରୁନ୍ଧି ଆସୁଥିବା କୋହ କହୁଛି ମାଆକୁ ଅବହେଳା କରାଯାଇଥିବାର କରୁଣ କାହାଣୀ । ଆଉ ଏ ଦାରୁଣ ଦୃଶ୍ୟ ସେହିମାନଙ୍କୁ ଧିକାର କରୁଛି ଯିଏ ବଳବୟସ ହଟିଯାଇଥିବା ଜଣେ ବୁଢିମାଆକୁ ଘରୁ ତଡିଦେଇଛନ୍ତି । ବୟସର ଅପରାହ୍ନରେ ଉପନୀତ ବୃଦ୍ଧାଙ୍କୁ ଅବହେଳାର ଅନ୍ଧାରୁଆ କୋଠରୀକୁ ଠେଲି ଦେଇଛନ୍ତି ।
ବାଙ୍କୀ ଶିଶୁଆ ଗାଁ ବାଲିସାହିର ବୃଦ୍ଧା ଦୁଲା ରାଉତ । ବୟସ ପାଖାପାଖି ୯୦ ଛୁଇଁଲାଣି । କିନ୍ତୁ ଏ ବୟସରେ ବି ତାଙ୍କୁ ଘର ଛାଡି ବାହାରେ ରହିବାକୁ ପଡୁଛି । ଘରୁ ପୁଅ ବୋହୂ ବାହାର କରିଦେବା ପରେ ଏଇ ଭାଗବତ ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ଚୂଡା ଖାଇ ବଞ୍ଚିବାକୁ ପଡୁଛି । ଆଜି କି ୬ ମାସ ହେବ ଏମିତି ରହୁଛନ୍ତି ଏ ବୃଢିମାଆ ଜଣଙ୍କ ।
ଦର୍ଶକବନ୍ଧୁ ସବୁ ବାପାମାଆ ଚାହାନ୍ତି ପିଲାମାନେ ବଡ ହେଲେ ସେମାନଙ୍କର ଦାୟିତ୍ୱ ନେବେ । ବୃଦ୍ଧାବସ୍ଥାରେ ଅନ୍ତତ ସେମାନଙ୍କର ସେବା ଯତ୍ନ କରିବେ । ବୋଧହୁଏ ଏଇ ଆଶା ସମସ୍ତଙ୍କ ମନରେ ଥାଏ । କିନ୍ତୁ ହାଏ ସେମାନଙ୍କ ପୋଡା କପାଳ । ସେବାଯତ୍ନ ତ ଦୂରର କଥା ଘରୁ ତଡି ଦିଅନ୍ତି ଅନ୍ତଫାଡି ଜନ୍ମ ଦେଇଥିବା ପୁଅ ଆଉ ବୋହୂ । ବୁଢା ବାପାମାଆଙ୍କୁ ପୁଅବୋହୂମାନେ ଅବହେଳା କରିବାର ଆଜି ନୂଆ ନୁହେଁ । ଏମିତି ଅନେକ ଚିତ୍ର ଆସୁଛି । ହେଲେ କେବେ ସରିବ ଏ ସବୁ ଘଟଣା ? କାହିଁକି ସୃଷ୍ଟି ହେଉଛି ଏମିତି ମାନସିକତା? ବାପାମାଆଙ୍କୁ ତଡିଦେବା ବେଳେ ନିଜ ପିଲାଦିନର କଥା କେମିତି ମନେପକାଇ ପାରୁନାହାନ୍ତି ପିଲା? ସେମାନଙ୍କ ତ୍ୟାଗ କଥା କେମିତି ଭୁଲିଯାଉଛନ୍ତି ? ସମୟ ବଡ ବଳବାନ, ଆଜି ମାଆ ସହ କରିଥିବା ଘଟଣା ହୁଏତ କାଲି ତାଙ୍କ ସହ ଘଟିପାରେ ।