ରାଜପରିବାରରେ ରକ୍ତର ଛିଟା । ସମ୍ପତ୍ତି ପାଇଁ କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ହତ୍ୟା, ପୁଅ ସାଜିଲା ହତ୍ୟାକାରୀ ।

258

କନକ ବ୍ୟୁରୋ : ରାଜପରିବାରରେ ରକ୍ତର ଛିଟା । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କରିଛନ୍ତି ପୁଅ ଗୋପାଳଭଞ୍ଜ ଦେଓ । ମିଳିଥିବା ସୂଚନା ଅନୁସାରେ ତିନି ତିନି ଥର ବିବାହ ବିଫଳ ହେବା ପାଇଁ ମାଙ୍କୁ ଦାୟୀ କରୁଥିଲେ ଗୋପାଳ । ସମ୍ପତିକୁ ନେଇ ମଧ୍ୟ ମା ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଆଉ ଏଥରର ବିବାଦରେ ଜହ୍ଲାଦ ସାଜିଥିଲା ପୁଅ ।

ରାଜପରିବାରରେ ରକ୍ତର ଛିଟା । ପୁଅ ସାଜିଲା ହତ୍ୟାକାରୀ । କନିକା ରାଜାଙ୍କ ନାତୁଣୀ ବୋହୁ ପରେଶ କୁମାରୀ ଭଞ୍ଜଦେଓ ଓ ଅଣନାତି ଗୋପାଳ ଭଞ୍ଜଦେଓ । କଟକର ପ୍ରସିଦ୍ଧ କନିକା ଛକ ସ୍ଥିତ ଶ୍ରୀବିହାର କଲୋନିରେ ରହୁଥିଲେ କନିକା ରାଜପରିବାରର ଏହି ଦୁଇ ଦାୟାଦ । ଦିନ ଥିଲା କନିକା ରାଜପରିବାର ସଦସ୍ୟ ହୋଇଥିବାରୁ ଏମାନଙ୍କର ସ୍ୱତନ୍ତ୍ର ଖ୍ୟାତି ଥିଲା । କିନ୍ତୁ ଏବେ ନିଜେ ପୁଅ ମାଙ୍କୁ ହତ୍ୟା କରିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳି ଯାଇଛି ।

ସ୍ଥାନ- କନିକା ଛକ କଟକ । ସମୟ- ସକାଳ ପ୍ରାୟ ସାଢ଼େ ୭ଟା । ଅନ୍ୟଦିନ ମାନଙ୍କ ଭଳି ଜମିବାଡି ଓ ସମ୍ପତିକୁ କେନ୍ଦ୍ର କରି ମା ପୁଅଙ୍କ ମଧ୍ୟରେ କଳି ହୋଇଥିଲା । ପୁଅ ଗୋପାଳ ଅନ୍ୟ ଦିନମାନଙ୍କରେ ଗଣ୍ଡଗୋଳ କରୁଥିଲେ ବି ଏଥର ପାଲଟିଯାଇଥିଲା ଜହ୍ଲାଦ । ହାତରେ ଧାରୁଆ ଅସ୍ତ୍ର ଧରି ମା ପରେଶ କୁମାରୀଙ୍କୁ ଆକ୍ରମଣ କରିଥିଲେ । ଚୋଟ ପରେ ଚୋଟ ମାରି ହାଣି ପକାଇଥିଲେ । ପୁଅ ଗୋପାଳ ଭଞ୍ଜଦେଓ ଭୁଲି ଯାଇଥିଲେ ସେ ଯାହାକୁ ମାରୁଛି ସେ ତାର ଜନ୍ମ କଲା ମା ବୋଲି । ଯିଏ ତାଙ୍କୁ ଜନ୍ମ ଦେଇଥିଲା ଓ ପାଳିପୋଷି ବଡ କରିଥିଲେ । ଶେଷରେ ରକ୍ତ ଜୁଡୁ ବୁଡୁ ହୋଇ ତଳେ ପଡି ଯାଇଥିଲେ ମାଆ । ଆଉ ପୁଅ ଆକ୍ରମଣରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ।

ସୂଚନା ଅନୁସାରେ ତିନି ତିନି ଥର ବିବାହ କରି ମଧ୍ୟ ବିଫଳ ହେବା ପାଇଁ ମାଙ୍କୁ ଦାୟୀ କରୁଥିଲେ ଗୋପାଳ । ସମ୍ପତିକୁ ନେଇ ମଧ୍ୟ ମା ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏଥର ମଧ୍ୟ ସମାନ ଘଟଣା ଘଟିଥିଲା । ସକାଳୁ ସକାଳୁ ମାଆଙ୍କ ସହ ଗଣ୍ଡଗୋଳ କରିଥିଲେ । ତଳମହଲାରେ ରହୁଥିବା ପରେଶ ଦେବୀଙ୍କ ଝିଅ ପାଟି ଶୁଣି ପୋଲିସକୁ ଫୋନ କରିଥିଲେ । ହେଲେ ପୋଲିସ ଆସି ପଳେଇ ଯାଇଥିଲା । ଯାହା ଭିତରେ ଘଟି ଯାଇଥିଲା ଏଭଳି ନୃଶଂସ ହତ୍ୟାକାଣ୍ଡ ।

ଅଭିଯୁକ୍ତ ଗୋପାଳ ମାକୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ବି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ବିଡାନାସୀ ପୋଲିସ । ଗୋପାଳଙ୍କୁ ପଚରାଉଚୁରା କରିବା ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ତେବେ କନିକା ରାଜପରିବାରରେ ଲାଗିଥିବା ରକ୍ତ ଛିଟାର ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।