ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ ସୁଶାନ୍ତ ମହାନ୍ତି: ଦୁଇଟି ଯାକ କିଡନୀ ନଷ୍ଟ, ଚିକିତ୍ସାରେ ବାଧକ ସାଜିଛି ଅର୍ଥ

142

କନକ ବ୍ୟୁରୋ: ମାରାତ୍ମକ କିଡନୀ ରୋଗରେ ପିଡିତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଛି ଘରର ରୋଜଗାରୀଆ ପୁଅ । ଦୁଇଟି ଯାକ କିଡନି ନଷ୍ଟ ହୋଇ ଯାଇଛି । ପୁଅକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ପୁଅର ଜୀବନ ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା ମାଆ । ବାଲେଶ୍ୱର ସଦର ବ୍ଲକ ବାଂଶିରି ଗ୍ରାମରୁ ଆସିଛି ଏମିତି ଦୁଃଖଦ ଖବର ।

ପୁଅର ଜୀବନ ପାଇଁ ଗୁହାରି କରୁଛନ୍ତି ମାପା-ମାଆ । ଅସୁସ୍ଥ ପୁଅର ଚିକିତ୍ସା ବାବଦରେ ନିଜର ସବୁ ସମ୍ବଳ ସାରିବା ପରେ କାନ୍ଦି କାନ୍ଦି ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି ବାଲେଶ୍ୱର ସଦର ବ୍ଲକ ବାଂଶିରୀ ଗାଁର ସୁନୀଲ ମହାନ୍ତି ଓ ସାବିତ୍ରୀ ମହାନ୍ତି । ୨୩ ବର୍ଷିୟ ପୁଅ ସୁଶାନ୍ତ ବାଂଶିରି ବଜାରରେ ଏକ ଦୋକାନରେ କାମ କରି ପରିବାର ଚଳାଇବାରେ ବାପାଙ୍କୁ ସହଯୋଗ କରୁଥିଲେ । ହେଲେ ହଠାତ୍ ହସଖୁସିର ପରିବାରରେ ଧଶେଇ ପଶିଲା ଦୁଃଖ । ସୁଶାନ୍ତଙ୍କ ମୁହଁ,ହାତ ଫୁଲିବାକୁ ଲାଗିଲା । ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡିଲା ସୁଶାନ୍ତଙ୍କର ଦୁଇଟି ଯାକ କିଡନି ନଷ୍ଟ ହୋଇଯାଇଛି ।

ଡାକ୍ତର କହିଛନ୍ତି କିଡନୀ ପ୍ରତ୍ୟାରୋପଣ ବ୍ୟତିତ୍ ବିକଳ୍ପ ନାହିଁ । ଯଦି କେହି କିଡନୀ ଦାନ କରନ୍ତି ତେବେ ୮ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନହେଲେ ସମୂର୍ଣ୍ଣ କିଡନୀ ଟ୍ରାନ୍ସପ୍ଲାଂଟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯାହା ଏହି ଗରିବ ପରିବାର ପକ୍ଷରେ ସମ୍ଭବ ନୁହେଁ । ପାଖରେ ଯାହା ଥିଲା ତାହା ଚିକିତ୍ସାରେ ଖର୍ଚ୍ଚ ହୋଇ ସାରିଲାଣି । ଏବେ ସମ୍ଭଳ ବୋଲି ଘର ଖଣ୍ଡିଏ ଛାଡିଦେଲେ କିଛି ନାହିଁ । ତେଣୁ ପୁଅର ଜୀବନ ବଂଚାଇବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ।

ବାପା ସୁନିଲ ପରଘରେ ମୁଲ ଲାଗି ଯାହା ଆଣନ୍ତି ସେଥିରେ ପରିବାର ଚଳେ । ହେଲେ ପୁଅ ରୋଗାକ୍ରାନ୍ତ ହେବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ପରିବାର ଲୋକେ,ଏପରି ଅବସ୍ଥାରେ ଅର୍ଥ ଅଭାବରୁ +୨ ପଢୁଥିବା ଝିଅ ମାନିନିର ପଢାବହିରେ ଡୋରି ବନ୍ଧା ହୋଇଛି ।