ମା’ କରିଥିଲେ ମାନସିକ, ପୁଅ କରୁଛି ପୂରଣ । ଦଣ୍ଡ ମାରିମାରି ଶ୍ରୀକ୍ଷେତ୍ର ଅଭିମୁଖେ କାଳିଆ ଠାକୁରଙ୍କ ପାଖକୁ ଚାଲିଛି ପୁଅ ।

157

କନକ ବ୍ୟୁରୋ: ମା’ କରିଥିଲେ ମାନସିକ ଯାହାକୁ ପୂରଣ କରୁଛି ପୁଅ । ଦଣ୍ଡ ମାରି ମାରି ବାଲିପାଟଣାରୁ ଶ୍ରୀକ୍ଷେତ୍ର ଅଭିମୁଖେ କାଳିଆ ଠାକୁରଙ୍କ ପାଖକୁ ଯାଉଛନ୍ତି ମା’-ପୁଅ । ପାଦ ଥକୁନି କି ମନ ହାରୁନି । ୮୦ କିଲୋମିଟର ଯାତ୍ରା ପାଇଁ ୮ ଦିନ ତଳୁ ଘରୁ ବାହାରିଛନ୍ତି । ଏହି ଦଣ୍ଡଯାତ୍ରା ପଛରେ ରହିଛି ଏକ କୋହଭରା କାହାଣୀ ।

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ବିଶ୍ୱାସ । ମହାପ୍ରଭୁ ପୁଅରୁ ମରଣ ମୁହଁରୁ ଫେରାଇ ଆଣିଛନ୍ତି । ମାତ୍ର ଦୁଇ ମାସର ପୁଅ ରୋଗରୁ ମୁକ୍ତ ହୋଇ ଏବେ ୨୦ ବର୍ଷର ହୋଇଛି । ଆଉ ସେଦିନ ମାଆ କରିଥିବା ମାନସିକ ପୁରଣ ପାଇଁ ରାସ୍ତାରେ ଦଣ୍ଡ ମାରି ମାରି ଶ୍ରୀକ୍ଷେତ୍ରର ସିଂହଦ୍ୱାର ଅଭିମୁଖେ ଯାଉଛି । ପାଖରେ ଚାଲି ଚାଲି ଯାଉଛନ୍ତି ମାଆ । ଶୋଷ ଲାଗିରେ ପୁଅକୁ ପାଣି ଦେଉଛନ୍ତି । ଏମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ମଞ୍ଜୁଲତା ମଲ୍ଲିକ ଓ ତାଙ୍କ ପୁଅ କୁସୁନିଆ ମଲିକ । କୁସୁନିଆ ୨ ମାସର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେତେବେଳେ ଡାକ୍ତର ଆଶା ଛାଡି ଦେଇଥିଲେ । ମାଆ ମଂଜୁଲତା ମହାପ୍ରଭୁଙ୍କ ହାତରେ ପୁଅର ଜୀବନକୁ ସମର୍ପି ଦେଇଥିଲେ । ପୁଅ ଭଲ ହେଲେ ଦଣ୍ଡ ମାରି ମାରି ପୁରୀ ଯିବ ବୋଲି ମାନସିକ କରିଥିଲେ । ୨୦ ବର୍ଷର ହେବା ପରେ ଏବେ ସେ ଦିନ ଆସିଛି ।