କାନ୍ଦାହାର ହାଇଜ୍ୟାକ୍ ମାଷ୍ଟରମାଇଣ୍ଡର ପୁଅ – ଆଫଗାନ ସରକାରରେ ରକ୍ଷା ମନ୍ତ୍ରୀ, ସାରା ବିଶ୍ୱକୁ ଏବେ ଆତଙ୍କ ଚିନ୍ତା

128

କନକ ବୃୁରୋ: ଏବେ ଆତଙ୍କିଙ୍କ ହାତରେ ଆଫଗାନିସ୍ତାନ । ଆଫଗାନିସ୍ତାନର କାମଚଳା ସରକାରରେ ଅଛନ୍ତି ରକ୍ତମୁଖା ଆତଙ୍କବାଦୀ । ଏମାନଙ୍କ ମଧ୍ୟରୁ ଜଣେ ରକ୍ଷା ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପଦରେ । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟୁକୁବକୁ ଦିଆଯାଇଛି ରକ୍ଷା ମନ୍ତ୍ରୀ ପଦ । ମୁଲ୍ଲା ୟାକୁବ ସେହି ମୁଲ୍ଲା ଉମରର ପୁଅ ଯିଏ ୧୯୯୯ ରେ କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ।

୧୯୯୯ ଡିସେମ୍ବର ୨୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ଇଣ୍ଡିଆନ୍ ଏୟାରଲାଇନ୍ସର ଓଉ-୮୧୪ ବିମାନକୁ ଅପହରଣ କରିନେଇଥିଲେ । ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଇଂଟରନ୍ୟାସନାଲ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିବା ଏହି ବିମାନକୁ ଅପହରଣ କରି ଆଫଗାନିସ୍ତାନ କାନ୍ଦାହାରକୁ ନିଆଯାଇଥିଲା । ସେତେବେଳେ ଆଫଗାନିସ୍ତାନରେ ତାଲିବାନର ରାଜୁତି ଥିଲା । ଜୈଶ-ଏ ମହମ୍ମଦର ମୁଖ୍ୟ ମସୁଦ ଅଜହର, ଅଲ ଉମର ମୁଜାହିଦ୍ଦିନର ନେତା ମୁସ୍ତାକ ଅହମଦ ଜରଗର ଓ ଅଲକାଏଦା ନେତା ଅହମଦ୍ ଉମର ସଇଦ୍ ସେ ସମୟରେ ଭାରତର ଜେଲରେ ବନ୍ଦୀ ଥିଲେ । ସେମାନଙ୍କୁ ମୁକ୍ତ କରିବାକୁ ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରିନେଇ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଥିଲେ । ଏହି ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ । ଏମାନଙ୍କୁ ଅପହରଣ କାରୀମାନେ ୭ ଦିନ ଯାଏଁ ବନ୍ଧକ ରଖିଥିଲେ । ଏଥିରେ ଜଣେ ଯୁବକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ଆହତ କରିଥିଲେ ଆତଙ୍କବାଦୀ ।ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, ଏହି ହାଇଜ୍ୟାକ୍ ଅପରେସନକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ସାହାଯ୍ୟରେ ସଫଳ କରାଯାଇଥିଲା । ଇଣ୍ଡିଆନ୍ ଏୟାରଲାଇନ୍ସର ଏହି ବିମାନ କାନ୍ଦାହାରରେ ପହଂଚିବା ପରେ ତାଲିବାନ ଆତଙ୍କବାଦିମାନେ ଏହାକୁ ଟ୍ୟାଙ୍କରରେ ଚାରିପଟୁ ଘେରାଉ କରିଥିଲେ । ପ୍ରଥମେ ଅପହରଣକାରୀଙ୍କ ସହ ଜୁଝିବାକୁ ଭାରତୀୟ ସେନା ଚେଷ୍ଟା କରିଥିଲେ ବି ତାଲିବାନ ଓ ମୁଲ୍ଲା ଉମର ଏହାକୁ ଅନୁମତି ଦେଇନଥିଲେ । ଏବେ ଏହି ମୁଲ୍ଲା ଉମରର ପୁଅ ମୁଲ୍ଲା ମହମ୍ମଦ ୟାକୁବ ଆଫଗାନିସ୍ତାନରେ ନବଗଠିତ କାମଚଳା ସରକାରରେ ହୋଇଛନ୍ତି ରକ୍ଷା ମନ୍ତ୍ରୀ । ଯେଉଁଠି ଏପରି ଆତଙ୍କବାଦୀଙ୍କୁ ଦେଶର ରକ୍ଷା ଦାୟିତ୍ୱ ଦିଆଯାଇଛି, ସେଠି ସେଠିକାର ନାଗରିକ ତଥା ପଡୋଶୀ ଦେଶଙ୍କ ସୁରକ୍ଷା ଉପରେ ଶଙ୍କା ସୃଷ୍ଟି ହୋଇଛି ।

ଯିଏ ଲୋକଙ୍କ ଜୀବନ ନିଅନ୍ତି, ସେମାନେ ଆଜି ଆଫଗାନିସ୍ତାନର ଶାସକ । ତାଙ୍କ ହାତରେ ଶାସନ ଓ ସୁରକ୍ଷା ଦାୟିତ୍ୱ ।ଏହି ସମୟରେ ଯଦି ବିଶ୍ୱ ସମୁଦାୟ ଏହାର ବିରୋଧ ନକରେ ,ଏହାକୁ ପ୍ରତିହତ କରିବାକୁ କଡା ପଦକ୍ଷେପ ନନିଏ ତାହେଲେ ସାରା ବିଶ୍ୱ ଯେ ଆତଙ୍କବାଦର କମାଣ ମୁହଁକୁ ସାମ୍ନା କରିବ ଏହାକୁ ଅସ୍ୱୀକାର କରିହେଉନାହିଁ ।