ପରିଣତ ବୟସରେ ଅଲୋଡ଼ା ହୋଇଗଲେ ବାପା ମା’ । ସମ୍ପତ୍ତି ବାଣ୍ଟି ନେବା ପରେ ଭୁଲି ଗଲେ ତିନି ପୁଅ, ପଞ୍ଚାୟତ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି ।

224

କନକ ବ୍ୟୁରୋ : ବାପା ମାଆ ବୁଢା ହୋଇ ରୋଗିଣା ହେଇଗଲେ ବୋଲି ଖାଇବାକୁ ନଦେଇ ୩ପୁଅ ଓ ବୋହୂ ମାନେ ଗାଳି ଗୁଲଜ କରିଲେ ବୋଲି ଘର ଛାଡି ପଂଚାୟତ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ଦମ୍ପତି  । ଆଉ ଏବେ ଖାଇବା ପାଇଁ ବାର ଦୁଆର ହେଉଛନ୍ତି ।

ଯେତେବେଳେ ପରିଣତ ବୟସରେ ପୁଅ-ବୋହୂଙ୍କ ପାଇଁ ବାପା-ମାଆ ଅଲୋଡା ହୋଇଯାଆନ୍ତି, ସେତେବେଳେ ପର ଓଳି ତଳେ ଆଶ୍ରୟ ନିଅନ୍ତି ବୃଦ୍ଧ ଦମ୍ପତି । ମାଆ ରଖିଥିବା ସୁନା, ବାପା ସାରା ଜୀବନର ସଞ୍ଚୟ ସମ୍ପତ୍ତି ନିଜ ଭିତରେ ବାଣ୍ଟି ନେବା ପରେ ବାପା-ମାଆଙ୍କୁ ପର କରିଦେଲେ ପୁଅ । ୩ଟି ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଇଥିବା ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଆଇତିପୁର ଗାଁର ଯୁରିୟା ସ୍ୱାଇଁ ଏବେ ଅସହାୟ ଅବସ୍ଥାରେ ପଂଚାୟତ ଅଫିସ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ।

୩ ପୁଅ ଅଲଗା ହୋଇଯିବା ପରେ ବାପା-ମାଆଙ୍କୁ ୧୦ ଦିନ ଲେଖାଏଁ ପାଳି କରି ରଖୁଥିଲେ । ଇଛା ହେଲେ ଖାଇବାକୁ ଦିଅନ୍ତି, ନହେଲେ ନାହିଁ । ତେଣୁ ନିରାଶ ହୋଇ, ଘର ଛାଡି ଚାଲି ଆସିଛନ୍ତି ୟୁରିଆ ଓ ତାଙ୍କ ସ୍ତ୍ରୀ । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ସରପଂଚଙ୍କୁ ଯୋଗାଯୋଗ କରିଥିଲେ, ସେ ଏହି ଘଟଣାକୁ ନିନ୍ଦା କରିବା ସହ ଯୁରିୟାଙ୍କ ପୁଅମାନଙ୍କ ସହ କଥା ହୋଇ ବୁଝାସୁଝା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସୁଛି । ପୁଅ-ବୋହୂ ପାଖରେ ହତାଦର ହେବାରୁ ବାପା-ମାଆ ଘର ଛାଡି ବୃଦ୍ଧାଶ୍ରମରେ ରହୁଛନ୍ତି । ପିଲାମାନଙ୍କ ଉପରୁ ସେମାନଙ୍କ ଭରସା ତୁଟି ଯାଉଛି । ଆଉ ଏଭଳି ଘଟଣା ସଭ୍ୟ ସମାଜରେ ବିଲକୁଲ୍ ଗ୍ରହଣୀୟ ନୁହେଁ ।