ପେନସନ ଟଙ୍କା ପୁଅକୁ କରିଦେଲା ଅନ୍ଧ । ଟଙ୍କା ମୋହ ଏତେ ବଢ଼ି ଗଲା ଯେ, ମାର ମୃତ ଶରୀରକୁ ଅନ୍ତିମ ସଂସ୍କାର ନ କରି ୫ ମାସ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଲା ପୁଅ । ଏଭଳି ଏକ ଆଶ୍ଚଯ୍ୟକର ଘଟଣା ବାରଣାସୀରେ ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ପୁଅ ମା’ର ଅନ୍ତିମ ସଂସ୍କାର କରିନଥିବା ଜଣାପଡ଼ିଛି । ମା’ ପାଉଥିବା ପେନସନ୍ ଟଙ୍କା ବନ୍ଦ ହୋଇଯିବା ଡ଼ରରେ ମା’ଙ୍କ ମୃତ ଶରୀରର ସଂସ୍କାର ନ କରି ୫ମାସ ଧରି ଘରେ ଲୁଚାଇ ରଖିଥିବା ଖବର ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ୫ମାସ ପରେ ଘରୁ ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିବା ପରେ ଖଟ ଉପରେ କଙ୍କାଳ ପଡ଼ିଥିବାର ଦେଖିଥିଲା। ମୃତ ବୃଦ୍ଧାଙ୍କ ପୁଅମାନେ ପେନସନ ଟଙ୍କା ପାଇଁ ଏପରି କରିଥିବା ପଡ଼ୋଶୀଙ୍କ ଠାରୁ ଜାଣି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Advertisment

publive-imageସୂଚନା ମୁତାବକ, ବାରଣାସୀର କବୀର ନଗର ନିବାସୀ ଅମରାବତୀ ଦେବୀଙ୍କର ୫ ପୁଅ ଓ ଗୋଟିଏ ଝିଅ ।କଷ୍ଟମ ବିଭାଗରେ ସୁପରିଟେଣ୍ଡଟ ଭାବେ କାର୍ଯ୍ୟ କରୁଥିବା ଅମରାବତୀଙ୍କ ସ୍ୱାମୀଙ୍କ ୨୦୦୦ ମସିହାରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଅମରାବତୀଙ୍କୁ ୧୮,୦୦୦ଟଙ୍କା ପେନସନ ଆକାରରେ ମିଳୁଥିଲା । ୩ ପୁଅ ଘର ଚଳାଇବା ପାଇଁ ସେଭଳି କିଛି ଆୟ କରୁ ନ ଥିବା ବେଳେ ଅମରାବତୀ ପାଉଥିବା ପେନସନ୍ ଟଙ୍କାରେ ଘର ଚଳୁଥିଲା । କିନ୍ତୁ ମା’ଙ୍କ ମୃତ୍ୟୁ ପରେ ଏହି ଟଙ୍କା ବନ୍ଦ ହୋଇଯିବା ଡ଼ରରେ ୩ ପୁଅ ମିଶି ନିଜ ମା’ଙ୍କୁ ଘରର ଏକ କୋଠରୀରେ ବନ୍ଦ କରି ରଖିଥିଲେ ।

ଅନ୍ୟ ପକ୍ଷରେ ଏ ନେଇ କିଛି ଅଲଗା ମତ ରଖିଛନ୍ତି ଅମରାବତୀଙ୍କ ବଡ଼ ପୁଅ ରବି ପ୍ରକାଶ। ଆମେ ପେନସନ୍ ପାଇଁ ଏପରି କରି ନାହୁଁ । ଜାନୁଆରିରେ ମା’ଙ୍କ ଦେହ ଖରାପ ହେବା ପରେ ଡ଼ାକ୍ତର କହିଲେ ସେ କୋମାକୁ ଚାଲି ଯାଇଛନ୍ତି । କିଛି ଦିନ ପରେ ଆମେ ସେ ମରି ଯାଇଛନ୍ତି ବୋଲି ଭାବି ତାଙ୍କର ଅନ୍ତିମ ସଂସ୍କାର କରିବାକୁ ବାହାରିବା ପରେ ଜଣେ ପଣ୍ଡିତ ମଣିଷ ଶରୀରରେ ଜୀବ ଥିଲା ଯାଏ ତାହାର ଅନ୍ତିମ ସଂସ୍କାର କରାଯାଇ ପାରିବ ନାହିଁ ବୋଲି କହିବାରୁ ଆମେ ଅଟକି ଯାଇଥିଲୁ । ମା’ ମୃତ କି ଜୀବତ ନ ଜାଣି ପାରି ଡ଼ାକ୍ତର ଦେଇଥିବା ଏକ ତେଲ ଆମେ ତାଙ୍କ ଶରୀରରେ ଲଗାଇବା ଆରମ୍ଭ କରିଥିଲୁ ।

କିନ୍ତୁ ମା’ଙ୍କ ଶରୀର କଙ୍କାଳ କିପରି ହୋଇଗଲା ଆମେ ଜାଣି ନାହୁଁ । ରବିଙ୍କ ଠାରୁ ଏ ସବୁ କଥା ଶୁଣି ପ୍ରକୃତ ଘଟଣା କ’ଣ ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି କହିଛି ପୋଲିସ ।