ଟଙ୍କା ସରିଗଲା ବୋଲି ପୁରୀରେ ବାପାକୁ ଛାଡି ଚାଲିଗଲା ପୁଅ : ଦୟାନଦୀରେ ଫିଙ୍ଗିଲା ଗୀତା, ଭାଗବତ, ପୂଜାପାଠ ବହି ; ଆଧାର କାର୍ଡ ବି ଗଲା 

1,755

କନକ ବ୍ୟୁରୋ : ବ୍ୟାଙ୍କରେ ବାପାଙ୍କ ଜମା ଟଙ୍କା ଦେଖି  ପୁଅ ପାଖରେ ରଖିଥିଲା ।  ଟଙ୍କା ସରିଲା ପରେ  ଦୟା ନଦୀରେ ଫିଙ୍ଗିଦେଲା  ଗୀତା, ଭାଗବତ,  ପୂଜାପାଠ ବହି ସହ ଆଧାର କାର୍ଡ ।  ଶେଷରେ ଗାଡିରେ ଆଣି ବାପାକୁ ପୁରୀରେ ଛାଡିଦେଲା ।  ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀରେ । ଗତକାଲି ଗୁଣ୍ଡିଚାମନ୍ଦିରକୁ ଲାଗିଥିବା  ନୃସିଂହଙ୍କ ଚକଡାରେ ବସିଥିବା  ବୃଦ୍ଧଙ୍କ ଏଭଳି ଦୁର୍ଦ୍ଦଶା ଉପସ୍ଥିତ ଲୋକଙ୍କ ଛାତି ଥରାଇଦେଇଛି । ନୃସିଂହ ମନ୍ଦିର ଚକଡାରେ  ବସିଥିଲେ ଏହି ୮୪ ବର୍ଷିୟ ବୃଦ୍ଧ । ତାଙ୍କ ନାଁ  ଧନେଶ୍ୱର ବେହୁରା । ଘର କଟକ ଜିଲ୍ଲା ନିଆଳି ଥାନା ପହାଙ୍ଗା ଅନ୍ତର୍ଗତ  ପେଠିବୁଡା ସାହିରେ ।  ଏକୁଟିଆ ବି ଠିଆ ହୋଇପାରୁନାହାନ୍ତି ଧନେଶ୍ୱର ।  ମୁହଁ ସାରା  ପାଚିଲା ଦାଢି ସାଙ୍ଗକୁ  ପେଜୁଆ ଆଖି  ଚାରିଆଡକୁ ଘୁରି ବୁଲୁଥାଏ ।  ଧନେଶ୍ୱରକୁ  ତାଙ୍କ ପୁଅ ପୁରୀରେ ଛାଡି ଚାଲିଯାଇଛି ।

ଧନେଶ୍ୱରଙ୍କ କହିବା କଥା ହେଲା, ସେ ଦୀର୍ଘ ବର୍ଷ ଧରି ପୁରୀରେ ରହିଆସୁଛନ୍ତି । ମନ୍ଦିରର ପୂଜକ ଭାବେ କାମ କରୁଥିଲେ । ପାଖରେ ୫୦ରୁ ୬୦ ହଜାର ଟଙ୍କା ଥିଲା ।  ପୁଅ ଆସି ଘରକୁ ଡାକିନେଇଥିଲା ।  କିନ୍ତୁ ଟଙ୍କା ନେବା ପରେ ଆଣି ପୁରୀରେ ଛାଡିଦେଇଛି । ଏହା ସହ ଗୀତା, ଭାଗବତ ଆଧାରକାର୍ଡକୁ ଦୟାନଦୀରେ ପିଙ୍ଗିଦେଇଛି । କୋହଭରା କଣ୍ଠରେ ଏହା କହିଛନ୍ତି ଧନେଶ୍ୱର ।ସ୍ୱେଚ୍ଛାସେବୀ ଖବର ଶୁଣି ପଂହଚିଥିଲେ ।  ପରେ ପୁଲିସ ଭ୍ୟାନ ଆସି  ଧନେଶ୍ୱରଙ୍କୁ ଉଦ୍ଧାର କରି  ନୀଳାଦ୍ରି ନିଳୟରେ ରଖାଯାଇଛି ।