କନକ ବ୍ୟୁରୋ : ପବଜୀ ଖେଳିବାକୁ ମନା କଲେ ମା’ । ଗୁଳି କରି ହତ୍ୟା କଲା ପୁଅ । ଏ ଏମିତି ଏକ ହୃଦୟ ବିଦାରକ ଖବର ଯାହା ପୂରା ଦେଶବାସୀଙ୍କୁ ଚକିତ କରିଛି । ଆଉ ଏଭଳି ଘଟଣା ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ପବଜୀ ଖେଳ ପାଇଁ ମା’ର ପ୍ରାଣ ନେଇଯାଇଛି ପୁଅ । ପବଜୀ ଖେଳ ଗୋଟିଏ ହସଖୁସିର ପରିବାରକୁ ଉଜାଡି ଦେଇଛି । ପବଜୀ ପ୍ରେମରେ ଅନ୍ଧ ହୋଇ ମା’କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ନାବାଳକ ପୁଅ । କେବଳ ମା’କୁ ହତ୍ୟା କରିନି ବରଂ ୨ ଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା ପୁଅ । କିନ୍ତୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ଆଉ ପୋଲିସ ପହଞ୍ଚିବା ପରେ ପୂରା ଘଟଣା ଉପରୁ ପରଦା ହଟିଥିଲା ।
ପୋଲିସର ସୂଚନା ମୁତାବକ, ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ, ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ରୁହନ୍ତି । ସାଧନାଙ୍କ ସ୍ୱାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଛନ୍ତି । ମା’ଙ୍କ ସହ ରହୁଥିବା ପୁଅ ଅନଲାଇନ ମୋବାଇଲ ଗେମ୍ ପବଜୀ ପ୍ରେମରେ ପୂରା ପାଗଳ । ପବଜୀ ଖେଳିବାକୁ ବାରମ୍ବାର ବାରଣ ସତ୍ତେ୍ୱ ମଧ୍ୟ ଶୁଣୁନଥିଲେ ପୁଅ ବରଂ ମା’ଙ୍କ ସହ ଝଗଡା କରୁଥିଲେ । ଆଉ ବାରମ୍ବାର ମା’ଙ୍କ ଠାରୁ ଗାଳି ଶୁଣିବା ପୁଅକୁ ପସନ୍ଦ ନଥିଲା । ଆଉ ରବିବାର ଯେତେବେଳେ ପୁଅକୁ ପବଜୀ ଖେଳିବାକୁ ମା’ ମନା କରିଥିଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ମା’ଙ୍କୁ ଗୁଳି ମାରିଥିଲେ ପୁଅ । ଆଉ ଘଟଣାସ୍ଥଳରେ ହିଁ ସାଧନାଙ୍କର ମୃତ୍ୟୁ ହୋଇଥିଲା ।
ମା’ଙ୍କ ମୃତ୍ୟୁ ପରେ ସାନଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ତାଲା ପକାଇ ଦେଇଥିଲା ନୃଂଶସ ଭାଇ । ଆଉ ନିଜେ ମା’ଙ୍କ ଶବକୁ ଜଗି ବସିଥିଲା । ଏପରିକି ମା’ଙ୍କ ମୃତ୍ୟୁ ଖବର ଯେପରି ବାହାରେ ପ୍ରଘଟ ନହୁଏ ସେଥିପାଇଁ ରୁମ ଫ୍ରେସନର ବାରମ୍ବାର ପକାଉଥିଲା ପୁଅ । କିନ୍ତୁ ପୁଅର ପାପକର୍ମ ବେଶିଦିନ ଲୁଚି ରହିନଥିଲା । ଜୋରରେ ଦୁର୍ଗନ୍ଧ ହେବାରୁ ପଡିଶା ଲୋକ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉଭୟ ଭାଇ-ଭଉଣୀଙ୍କୁ ଉଦ୍ଧାର କରିଥିଲା । ଏପରିକି ପୁଅ ପୋଲିସ ଆଗରେ ମା’ ମୃତ୍ୟୁର ଭିନ୍ନ କାହାଣୀ କହିଥିଲା । ବିଦ୍ୟୁତ ମିସ୍ତ୍ରୀ ଘରକୁ ଆସି ମା’କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଥିଲା ପୁଅ । କିନ୍ତୁ ପୁଅର କଥାରେ ତାଳମେଳ ରହିନଥିଲା । ଅଧିକ ତଦନ୍ତ ପରେ ସତ ଉପରୁ ପରଦା ହଟିଥିଲା । ପୁଅ ହିଁ ମାଆର ହତ୍ୟାକାରୀ ଏକଥା ସ୍ପଷ୍ଟ କରିଥିଲା ପୋଲିସ । ଆଉ ଏହି ଘଟଣା ଏବେ ବାପା-ମା’ଙ୍କ ପାଇଁ ସତର୍କଘଣ୍ଟି ବଜାଇଛି । କାରଣ ଅଧିକାଂଶ ପିଲାଙ୍କ ହାତରେ ଏବେ ମୋବାଇଲ । ଯେଉଁମାନେ ପାଠପଢା ନାଁରେ ପବଜୀ ଭଳି ଅନଲାଇନ ଗେମରେ ଅଧିକ ସମୟ ବିତାଉଛନ୍ତି । ତେଣୁ ପିଲାଙ୍କୁ କମ ସମୟ ମୋବାଇଲ ବ୍ୟବହାର ପାଇଁ ବୁଝାଇବା ସହ ଏଭଳି ଅନଲାଇନ ଗେମରୁ କିଭଳି ଦୂରେଇ ରହିପାରିବେ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ।