କନକ ବ୍ୟୁରୋ : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ । ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା ପଞ୍ଚାୟତ ବିଶିପୁର ଗାଁରେ । ହତ୍ୟାକାରୀ ପୁଅ ଘଟଣା ପରେ ଘରୁ ଫେରାର ହୋଇ ଯାଇଛି । ବିଶ୍ରା ପୁଲିସ ଦୁଇଟି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ ବିଶିପୁର ଗାଁରେ କୃଷ୍ଣଚନ୍ଦ୍ର ସିଂ, ପତ୍ନୀ ଲୀଳାବତୀ, ବଡ ପୁଅ ଜୟ (୪୦), ସାନ ପୁଅ ସୋମେନ (୩୫) ପରିବାର ସହ ରହନ୍ତି । ଗତ ୨୨ ଦିନ ତଳେ କୃଷ୍ଣଚନ୍ଦ୍ର କିଛି ଜମି ବିକି ଥିଲେ । ଜମି ବିକ୍ରି ଟଙ୍କାର ଭାଗ ବଡ଼ ପୁଅ ଜୟକୁ ମିଳି ନ ଥିଲା, ଯାହାକୁ ନେଇ ଜୟ ବାପା-ମା’ଙ୍କ ସହ ଝଗଡା କରୁଥିଲା ।
ଆଜି ସକାଳ ପ୍ରାୟ ୯ଟାରେ ଏହି କଥାକୁ କେନ୍ଦ୍ରକରି ଜୟ ବାପା-ମା’ ଙ୍କୁ ଗାଳିଗୁଲଜ କରିଥିଲା । ସାନ ପୁଅ ସୋମେନ ବିରୋଧ କରିବାରୁ ଉତ୍ତେଜିତ ହୋଇ ଜୟ ଘରୁ ପନକି ଆଣି ଉଭୟ ବାପା-ମାଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ବାପା-ମାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବାପା – ମା ମୃତ୍ୟୁ ହୋଇ ଯିବାରୁ ଗିରଫ ଭୟରେ ଜୟ ଘରୁ ଫେରାର ହୋଇ ଯାଇଥିଲା । ସାନ ପୁଅ ସୋମେନ ହତ୍ୟାକାଣ୍ଡ ସମ୍ପର୍କରେ ବିଶ୍ରା ଥାନାକୁ ସୂଚନା ଦେବା ସହ ଲିଖିତ ଏତଲା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/645ee662-532f-4b25-967d-2e09119af205-750x430.jpg)