କନକ ବ୍ୟୁରୋ : ସରକାରୀ ଚାଉଳ ବଣ୍ଟାକୁ ନେଇ ବାପାର ମାଡ଼ରେ ଭିନ୍ନକ୍ଷମ ପୁଅର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁର ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ, ତାଙ୍କ ପରିବାର ଲୋକ ସଂଖ୍ୟା ଚାରି ଜଣ । ମାସିକ ପ୍ରତ୍ୟେକଙ୍କୁ ପାଞ୍ଚ କିଲୋ ଚାଉଳ ଓ କିରୋସିନୀ ଓ ଅନ୍ୟାନ୍ୟ ଜିନିଷ ମିଳେ । ଏହାକୁ ନେଇ ଘରେ ଝଗଡା ପରେ ଭିନ୍ନକ୍ଷମ ପୁଅ ଅନିଲ କୁମାର ପ୍ରଧାନ ନିଜ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ନେଇ ଗାଁର ବଡ ନୂଆସାହିରେ ରହନ୍ତି ।
ସୂଚନା ଅନୁସାରେ ଆଜି ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ନେବା ପାଇଁ ଦିନ ସାଢେ ଦଶଟା ବେଳେ ବାପା-ପୁଅ ଆସିଥିଲେ । କିନ୍ତୁ ସବୁ ଚାଉଳ ନେବା ପାଇଁ ପୁଅ ଦାବି କରିଥିଲେ । ଏହା ପରେ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା । ପୁଅକୁ ବାପା ମାଡ଼ ଦେବା ପରେ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ପଡିଗଲେ । ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଅନିଲଙ୍କ ସ୍ତ୍ରୀ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ବାପା ବଳରାମଙ୍କୁ ଅଟକ ରଖିଛି ପୁଲିସ।