ମାଟ୍ରିକ ପରୀକ୍ଷା ପରେ ପରେ ନିଖୋଜ ହୋଇଗଲା ପୁଅ, ଫେରାଇ ଆଣିବାକୁ ମା’ କରୁଛି ନିବେଦନ…

158

କନକ ବ୍ୟୁରୋ: ନିଖୋଜ ହୋଇଯାଇଛି ପୁଅ ଆଉ ପୁଅକୁ ଫେରାଇ ଆଣିବା ପାଇଁ କାନ୍ଦି କାନ୍ଦି କୋହଭରା କଣ୍ଠରେ କହୁଛି ମା । ଗୋଟିଏ ମା ପାଇଁ ଏ ଯନ୍ତ୍ରଣା କୌଣସି ନର୍କ ଯନ୍ତ୍ରଣାଠାରୁ ବି କମ ନୁହେଁ । ପୁଅ ମାଟ୍ରିକ ପରୀକ୍ଷା ଦେଇଥିଲା, ଆଉ ପାସ ବି ହୋଇଥିଲା ହେଲେ ରେଜଲ୍ଟ ଦେଖିବା ପୂର୍ବରୁ କେଉଁ ଆଡେ ନିଖୋଜ ହୋଇଯାଇଛି । ପୁରୀରୁ ଭୁବନେଶ୍ୱର ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଖୋଜ ଖବର ମିଳିନଥିଲା । ଆଉ ଏବେ ପୁଅକୁ ନ ପାଇ ମା ପାଗେଳି ପ୍ରାୟ, ଆଉ ନାତିକୁ ଝୁରି ଝୁରି ଗୁମୁରି କାନ୍ଦୁଛି ବୁଢି ମା ।

ପୁରୀ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଅମିନ ଜେନାଙ୍କ ପୁଅ ଅଂଶୁମାନ ଜେନା । ଗତ ୧୫ ତାରିଖରୁ ଘରୁ କେଉଁ ଆଡେ ଚାଲି ଯାଇଛନ୍ତି । ଅଂଶୁମାନଙ୍କୁ ଚାରିଆଡେ ଖୋଜାଖୋଜି ପରେ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ କୃଷ୍ଣପ୍ରସାଦ ଥାନା ଏବଂ ଭୁବନେଶ୍ୱର ଭରତପୁର ଥାନରେ ଅଭିଯୋଗ କରିଛନ୍ତି । ସେ ଚଳିତ ବର୍ଷ ଦଶମ ଶ୍ରେଣୀରେ ପାଠପଢି ପାସ ହୋଇଥିଲେ ।

୧୦ ଦିନ ହେବ ନିଖୋଜ ଅଛନ୍ତି ଅଂଶୁମାନ, ତାଙ୍କ ବୟସ ପାଖାପାଖି ୧୪ ବର୍ଷ ହେବ । ଅଂଶୁମାନଙ୍କ ନିଖୋଜ ଦିନଠାରୁ ପରିବାରରେ ସଭିଏଁ ଚିନ୍ତାରେ ପଡ଼ିଛନ୍ତି । ଏପରିକି ଘରେ ଚୁଲି ମଧ୍ୟ ଲାଗୁନାହିଁ ।
ଯଦି କୌଣସି ସହୃଦୟ ବ୍ୟକ୍ତି ଅଂଶୁମାନଙ୍କୁ କୌଣସି ସ୍ଥାନରେ ଦେଖନ୍ତି କିମ୍ବା ତାଙ୍କ ପତା ପାଆନ୍ତି ତେବେ ୮୯୧୭୪୨୦୪୦୨, ୯୬୬୮୧୧୧୮୮୨ ମୋବାଇଲ ନମ୍ବରରେ ଯୋଗାଯୋଗ କରି ଜଣାଇପାରିବେ ।