ବାପାଙ୍କୁ ନୂଆ ଜୀବନ ଦେଲା ପୁଅ : ମୃତ୍ୟୁ ମୁଖରୁ ବଂଚାଇ ଆଣିଲା ୨୦ ବର୍ଷର ପୁଅ

274

କନକ ବ୍ୟୁରୋ : ବାପାଙ୍କୁ ନୂଆ ଜୀବନ ଦେଲା ପୁଅ । ମୃତ୍ୟୁ ମୁଖରୁ ବଂଚାଇ ଆଣିଲା ୨୦ ବର୍ଷର ପୁଅ । ବାପାଙ୍କୁ ଲିଭର ଦାନ କରି ସାରା ଦୁନିଆ ପାଇଁ ସୁନା ପୁଅର ଉଦାହରଣ ସାଜିଛନ୍ତି ଜୟପୁରର ମାନ୍ୟା ହସିକା । କୋଭିଡ ସହ ସାରା ବିଶ୍ୱ ଲଢୁଥିବାବେଳେ ମାନ୍ୟାଙ୍କ ପରିବାର ବି ଏଥିରୁ ବର୍ତିପାରିନଥିଲା । ପରିବାରର ସମସ୍ତ ସଦସ୍ୟଙ୍କୁ କୋଭିଡ ହୋଇଥିଲା । ଧିରେ ଧିରେ ସମସ୍ତେ ସୁସ୍ଥ ହୋଇଥିଲେ କିନ୍ତୁ ମାନ୍ୟାଙ୍କ ବାପା ଦୀପକ ହସିକାଙ୍କ ଲିଭର ନଷ୍ଟ ହେବାକୁ ଲାଗିଲା । ସ୍ୱାସ୍ଥ୍ୟ ବିଗିଡିବାରୁ ଲିଭର ଟ୍ରାନ୍ସପ୍ଲାଂଟ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଏହା ପରେ ପୁଅ ମାନ୍ୟା ହାସିକା ୬୫ ପ୍ରତିଶତ ଲିଭର ଦେବାକୁ ରାଜି ହୋଇଥିଲେ । ଗତ ଜୁନ ମାଲରେ ଗୁଡଗାଁଓର ମେଦାନ୍ତ ହସପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିଲା ।

ବାପାଙ୍କୁ ଲିଭର ଦାନ କରିଥିବା ପୁଅ ମନୁଙ୍କ କହନ୍ତି, ଯେତେବେଳେ ଜାଣିଲି ବାପାଙ୍କ ଲିଭର ଖରାପ ଅଛି ମୁଁ ଚିନ୍ତାରେ ପଡ଼ି ଯାଇଥିଲି । ସେ କେବେ ବି ସିଗାରେଟ କି ମଦ ସେବନ କରନ୍ତି ନାହିଁ । ଆଉ ଡାକ୍ତର କହିଥିଲେ ୬ମାସ ଭିତରେ ଯାହା ବ୍ୟବସ୍ଥା କରିବା କଥା କର, ନଚେତ ସେ ଆଉ ତାଙ୍କ ବାପାଙ୍କୁ ବଞ୍ଚାଇ ପାରି‌ବେ ନାହିଁ । ଏଭଳି ସମୟରେ ବାପା ମୋତେ କୋହଭରା କଣ୍ଠରେ କହିଥିଲେ ମୁଁ ମରିବାକୁ ଚାହେଁ ନାହିଁ, ମୁଁ ତତେ ଗ୍ରାଜୁଏଟ ହେବା ଦେଖିବାକୁ ଚାହେଁ। ଏହି ସମୟରେ ଘରେ ଏକ ପ୍ରକାର ଦୁଃଖର ବାତାବରଣ ସୃଷ୍ଟି ହୋଇଗଲା ।

ସେତେବେଳେ କରୋନାର ଦ୍ବିତୀୟ ଲହର ଚାଲିଥିଲା। ଆଉ ମୁଁ କରୋନାରେ ସଂକ୍ରମିତ ହୋଇଗଲି । କରୋନା‌ ସଂକ୍ରମିତ ହୋଇ ମୁଁ ସଙ୍ଗରୋଧରେ ରହିଲା ପରେ ବହୁତ କାନ୍ଦିଛି । କାରଣ ଏଭଳି ପରିସ୍ଥିତିରେ ବାପାଙ୍କୁ ମୋର ବହୁତ ଆବଶ୍ୟକତା ଥିଲା । ବାପାଙ୍କୁ ଖୁସି ରଖିବାକୁ ସବୁବେଳେ ଭିଡିଓ କଲ ବି କରୁଥିଲି। ଅନଲାଇନରେ ତାଙ୍କ ସହ ଲୁଡୁ ‌ଖେଳୁଥିଲି, ଆଉ ଜାଣିଶୁଣି ହାରି ଯାଉଥିଲି । କାରଣ ସେ ଲୁଡୁରେ ଜିତିଲେ ଖୁସି ହୁଅନ୍ତି। ଉଭୟ ଉଭୟଙ୍କୁ ଆଶ୍ବସନା ଦେଉଥିଲୁ କି ଦିନେ ନା ଦିନେ ଏହି ବିପଦରୁ ଆମେ ପାରି ହୋଇଯିବା ।

ଦୁର୍ଭାଗ୍ୟବଶତଃ ମୁଁ କରୋନା ସଂକ୍ରମଣରୁ ଠିକ ହେବାପରେ ବାପା ସଂକ୍ରମିତ ହୋଇଗଲେ। ତାଙ୍କୁ ବାରମ୍ବାର ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ପଡ଼ୁଥିଲା । ବାପାଙ୍କ ଏଭଳି ଅବସ୍ଥା‌ ମୁଁ ଆଉ ଦେଖି ପାରୁ ନଥିଲି। ଶେଷରେ ନିଷ୍ପତ୍ତି ନେଇଥିଲି କି ମୁଁ ବାପାଙ୍କୁ ଲିଭର ଦାନ କରିବି । ଆଉ ଏ ସମ୍ପର୍କରେ ପରିବାରଲୋକଙ୍କୁ ବି ଜଣାଇ ଦେଇଥିଲି।ସୌଭାଗ୍ୟବଶତଃ ବାପାଙ୍କ ଲିଭର ସହିତ ମୋ ଲିଭର ଖାପ ଖାଇଗଲା। ମୋତେ ମୋ ଲିଭରର ୬୫ ପ୍ରତିଶତ ଦାନ କରିବାର ଥିଲା । ଏଥିପାଇଁ ମୁଁ ବ୍ୟାୟାମ ଓ ଖାଦ୍ୟ ପାନୀୟ ଉପରେ ବି‌ଶେଷ ଧ୍ୟାନ ଦେଇଥିଲି । କିଛି ପରୀକ୍ଷା ପରେ ମୋତେ କୁହାଗଲାଯେ ଅସ୍ତ୍ରୋପଚାର ପାଇଁ ମୁଁ ପ୍ରସ୍ତୁତ। ମୁଁ ଆଶ୍ବସ୍ତି ଅନୁଭବ କରୁଥିବା ବେଳେ ବାପା ଭୋଭୋ ହୋଇ କାନ୍ଦି ଉଠିଥିଲେ ।

ଏସବୁ ସ୍ଥିର ହେବା ପରେ ମନୁଙ୍କ ବାବା  କାନ୍ଦିକାନ୍ଦି କହିଥିଲେ ଆଗକୁ ଯଦି ‌ତୋର କିଛି ଅସୁବିଧା ହୋଇଯାଏ ମୁଁ ନିଜକୁ କ୍ଷମା କରି ପାରିବି ନାହିଁ । ସେ ବାପାଙ୍କୁ ବୁଝାଇ କହିଥି‌ଲେ ଏହି ଲଢ଼େଇ ତୁମର ଆଉ ମୋର ବି । ଆମେ ହାରିବାବାଲା ନୁହେଁ । ଭଗବାନଙ୍କ ଦୟାରୁ ଅସ୍ତ୍ରୋପଚାର ସଫଳ ହେଲା ଏବଂ  ବାପ-ପୁଅ ଦୁହେଁ ଏବେ ସୁସ୍ଥ । ପରିବାରରେ ଖୁସି ଫେରି ଆସିଥିବା ଦେଖି ମୁଁ ମୋର ସବୁ କଷ୍ଟ ଭୁଲି ଯାଇଛି ବୋଲି ମନୁ ନିଜ ଇନଷ୍ଟାଗ୍ରାମ ପେଜରେ ପ୍ରକାଶ କରିଛନ୍ତି ।