ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।

308

କନକ ବ୍ୟୁରୋ : ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ୩ ପୁଅ । ଜାଗୁଲାଇ ମାଆଙ୍କ ମନ୍ଦିର ନିମାର୍ଣ କରି ବାପାଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ କରିଛନ୍ତି କଟକ ଜିଲ୍ଲା ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଅଜୟ ମୁଦୁଲି, ସଞୟ ମୁଦୁଲି, ବିଜୟ ମୁଦୁଲି । ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଖବର ଆସେ ପିଲାମାନେ ବାପା-ମାଆଙ୍କୁ ପଚାରୁ ନାହାନ୍ତି । ପରିଣତ ବୟସରେ ଘରଦ୍ୱାର ଛାଡି ଅନେକ ବୃଦ୍ଧ ବୃଦ୍ଧା ଜରା ନିବାସରେ ରହୁଛନ୍ତି । ହେଲେ ନିଆଳିର ତିନି ପୁଅ ବାପାଙ୍କ ଅଧୁରା ଆଶାକୁ ସାକାର କରି ଆଜିର ଯୁବପିଢି ପାଇଁ ପ୍ରେରଣା ପାଲଟିଛନ୍ତି ।

ଗାଁରେ ତୋଳା ହୋଇଛି ମାଆ ଜାଗୁଳାଇଙ୍କ ମନ୍ଦିର । ଆଉ ଏବେ ମନ୍ଦିର ପ୍ରତିଷ୍ଠା ଚାଲିଛି । ମନ୍ଦିର ପ୍ରାଙ୍ଗଣ ଭଜନ କୀର୍ତନରେ କମ୍ପି ଉଠୁଛି । ଯଜ୍ଞର ମନ୍ତ୍ର ଧ୍ୱନିରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆପଣମାନେ ଭାବୁଥିବେ ମନ୍ଦିର ପ୍ରତିଷ୍ଠା ହୋଉଛି, ଏଥିରେ ନୂଆ କଥା କଣ । ଏଥିରେ ନୂଆ ଯଦିଓ କିଛି ନାହିଁ କିନ୍ତୁ ଜଣେ ବାପାଙ୍କ ପ୍ରତି ପୁଅଙ୍କର ଥିବା ଭଲ ପାଇବା ଆଉ ସମ୍ମାନ ଲୁଚି ରହିଛି ।

ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ମନ୍ଦିର ତିଆରି କରିଛନ୍ତି ୩ ପୁଅ । ଆଗରୁ ବରଗଛ ମୂଳେ ପୂଜା ପାଉଥିଲେ ମାଆ ଜାଗୁଳାଇ । ତାଙ୍କ ପାଇଁ ଏକ ମନ୍ଦିର ତୋଳିବାକୁ ସ୍ୱପ୍ନ ଦେଖିଥିଲେ ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଧୋବଇ ମୁଦୁଲି । ହେଲେ ସେ ମନ୍ଦିର କରିପାରିନଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ୩ ପୁଅ ଅଜୟ, ସଞୟ ଓ ବିଜୟ ମନ୍ଦିର ତିଆରି କରିଛନ୍ତି ।

ପିତାଙ୍କ ଅଧୁରା ସ୍ୱପ୍ନ ପୂରଣ ପରେ ଏବେ ଏହି ଘଟଣାକୁ ନେଇ ପରିବାରଠୁ ଆରମ୍ଭ କରି ଗାଁ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ସମସ୍ତେ ଧୋବଇଙ୍କ ତିନି ପୁଅଙ୍କୁ ପ୍ରଶଂସା କରୁଛନ୍ତି । ଆଉ ଆଜିର ପ୍ରଥଭଷ୍ଟ ସମାଜରେ ଏହି ୩ ପୁଅଙ୍କ ପିତୃଭକ୍ତି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।