ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା

437

କନକ ବ୍ୟୁରୋ : ବାପା ପଛେ ପଛେ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ଅଚାନକ ମୃତ୍ୟୁ ହେବ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ । ପୁଅ ଉପରୁ ବାପାର ହାତ ଉଠିଯିବା ପରେ ଭାଙ୍ଗିପଡିଥିଲେ ପୁଅ । କିନ୍ତୁ ଶେଷକୃତ୍ୟ ବେଳେ ମାଡିବସିଥିଲା ଯମ । ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ସହ ବାପାଙ୍କ ଶେଷକୃତ୍ୟ କରିବାକୁ ଗାଁ ଶଶ୍ମାନକୁ ଯାଇଥିଲେ ପୁଅ ବେଣୁଧର ମଣ୍ଡଳ । କିନ୍ତୁ ସେଠାରେ ଏକ ବିରାଟ ଗଛର ଶୁଖିଲା ଡାଳ ବେଣୁଧରଙ୍କ ଉପରେ ପଡିଯାଇଥିଲା । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଲକ୍ଷ୍ମଣ ମଣ୍ଡଳ କୋରାପୁଟରେ ନିଜ ପରିବାର ସହ ରହି ଜଳଖିଆ ଦୋକାନ ଚଳାଉଥିଲେ । କିନ୍ତୁ ଦେହ ଖରାପ ହେବାରୁ ବେଣୁଧର ଓ ତାଙ୍କ ମା ଦୋକାନ ଚଳାଉଥିଲେ । ସୋସିଆଲ ମିଡିଆରେ ଏକ ଗ୍ରୁପ କରି ଚର୍ଚ୍ଚାରେ ରହିଥିଲେ ବେଣୁଧର । ସୋସିଆଲ ମିଡିଆରେ ସେ ବରୁଣ ବାମ ନାଁରେ ପ୍ରସିଦ୍ଧ ଥିଲେ । ଏହି ଗ୍ରୁପ ମାଧ୍ୟମରେ କୋରାପୁଟର ଅନେକ ଯୁବକ ଯୁବତୀଙ୍କୁ ଯୋଡଥିଲେ । ୨୨ ବର୍ଷିୟ ବେଣୁଧର ସ୍ଥାନୀୟ ଅଂଚଳରେ ସମାଜ ସେବା ବି କରି ଚର୍ଚ୍ଚାରେ ଥିଲେ । କିନ୍ତୁ ଅଚାନକ ମୃତ୍ୟୁ ଆସି ଗୋଟିଏ ମଶାଣିରେ ଲକ୍ଷ୍ମଣ ଓ ବେଣୁଧରଙ୍କ ଜୁଇ ଜଳିବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ବାପାର ଅନ୍ତିମ ସଂସ୍କାର ସମୟରେ ପୁଅ ବି ଯେ ଶବ ପାଲଟିଯିବ ଏହାକୁ କେହି ହଠାତ୍ ବିଶ୍ୱାସ କରିପାରୁନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ହତବାକ କରିଦେଇଛି ।