କରୋନାର କରୁଣ କାହାଣୀ… ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡି ଦଉଡି ଚାଲିଗଲା ପୁଅର ଜୀବନ । ଶବକୁ ରିକ୍ସାରେ ଲଦି ଘରକୁ ଆଣିଲା ମାଆ

197

କନକ ବ୍ୟୁରୋ : ସମ୍ପ୍ରତି ଜାରି ରହିଥିବା କୋଭିଡ୍‌-୧୯ର ସଂକ୍ରମଣ ବୃଦ୍ଧି ଦେଶରେ ଉପଲବ୍‌ଧ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି । ଦିନକୁ ଦିନ ବଢ଼ି ଚାଲିଥିବା ସକ୍ରିୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀଶଯ୍ୟାର ଅଭାବ ଦେଖାଦେଉଛି; ଏଥି ସହିତ ଅନ୍ୟ ଅଣକୋଭିଡ୍‌ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଉତ୍ତରପ୍ରଦେଶର ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେ ଚିକିତ୍ସା ସୁବିଧା ନପାଇ ଆଖି ବୁଜିବା ଘଟଣା ଆଲୋଡ଼ନ ଆଣିଦେଇଛି । ତେବେ ଦୁଃଖ ସେତିକିରେ ସରିନି; ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବବୁହା ଗାଡ଼ି ନମିଳିବାରୁ ମୃତକଙ୍କ ମାଆ ଏକ ଇ-ରିକ୍ସାରେ ଶବକୁ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଯୌନପୁରର ବିନୟ ସିଂହ କିଡ୍‌ନି ଜନିତ ଜରୁରୀକାଳୀନ ଚିକିତ୍ସା ପାଇଁ ବାରଣାସୀ ଆସିଥିଲେ। ପ୍ରଥମେ ସେ ବିଏଚ୍‌ୟୁ ସରକାରୀ ଡାକ୍ତରଖାନା ଯାଇଥିଲେ ହେଁ ସେଠାରେ ଅଣକୋଭିଡ୍‌ ଶଯ୍ୟା ନଥିବାରୁ ତାଙ୍କୁ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିଥିଲା । ମାତ୍ର ସେଠାରେ ମଧ୍ୟ ତାଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା ଏବଂ ନିଜ ମାଆଙ୍କ ଆଖି ଆଗରେ ଚିକିତ୍ସା ଅଭାବରୁ ବିନୟଙ୍କର ଜୀବନ ଯାଇଥିଲା । ଘରକୁ ପୁଅର ଶବକୁ ନେବା ପାଇଁ ମାଆ ଚନ୍ଦ୍ରକଳା ଆମ୍ବୁଲାନ୍ସଟିଏ ଖୋଜିଲେ । ମାତ୍ର ତାହା ବି ମିଳିଲାନି । ଶେଷରେ ଏକ ଇ-ରିକ୍ସାରେ ଶବକୁ ଲଦି ସେ ଘରକୁ ଫେରିଥିଲେ। ସେହି ସମୟର ଏହି ହୃଦୟ ବିଦାରକ ଦୃଶ୍ୟ ଅନେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଲୋଡ଼ନ ଆଣିଛି ।