କନକ ବ୍ୟୁରୋ: ଘରେ ରୋଗୀଣା ସ୍ତ୍ରୀ । ତା ସାଙ୍ଗକୁ ୨ ବର୍ଷର କୁନି ପୁଅ । ଦେଖାଚାହାଁ କରିବାକୁ ଘରେ ଆଉ କେହି ନାହାଁନ୍ତି । ଛୁଟି ମାଗି ମାଗି କର୍ତ୍ତୃପକ୍ଷ ଦେଲେନି । ଶେଷରେ ପାଣି ଖାଲରେ ପଡି ଚାଲିଗଲା ଗୋଟିଏ ବୋଲି ପୁଅର ଜୀବନ । ଆଉ ନିଜ ମନର କ୍ଷୋଭ ପ୍ରକାଶ କରିବାକୁ ପୁଅର ଶବକୁ ଧରି ଏସଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସିପାହୀ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ।

Advertisment

ମଥୁରାର ବାସିନ୍ଦା ଇଟାୱାରେ ପୁଲିସ ବିଭାଗରେ ସିପାହୀ ଭାବେ ନିଯୁକ୍ତ ଅଛନ୍ତି । ପତ୍ନୀ କବିତା ଓ ପୁଅ ହର୍ଷିତ ସହ ଫ୍ରେଣ୍ଡସ୍ କଲୋନୀରେ ଭଡାରେ ରହୁଥିଲେ । କିଛି ଦିନ ହେବ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ରହୁଥିବାରୁ ପୁଅର ଯତ୍ନ ଠିକ ଭାବେ ନେଇପାରୁନଥିଲେ । ସେଥିପାଇଁ ଜାନୁଆରୀ ୭ତାରିଖରୁ କିଛି ଦିନ ଛୁଟି ମାଗିଥିଲେ ସୋନୁ । ହେଲେ ତାଙ୍କ ଆବେଦନକୁ ସ୍ୱୀକାର କରିନଥିଲେ କର୍ତ୍ତୃପକ୍ଷ । ବୁଧବାର ସକାଳେ ପୁଅ ହର୍ଷିତ ଖେଳୁଥିବାବେଳେ ପାଣି ଥିବା ଏକ ଗାତରେ ପଡିଯାଇଥିଲା । ଘରକୁ ନଫେରିବାରୁ ପତ୍ନୀ ଅନେକ ଖୋଜାଖୋଜି ପରେ ପାଣି ଖାଲରୁ ପୁଅର ଶବ ମିଳିଥିଲା ।

ଏବେ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ସିପାହୀ ସୋନୁ । ପୁଅର ଶବକୁ ନେଇ ଏସଏସପି କର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ‘ଛୁଟି ମିଳିଥିଲେ ଏଘଟଣା ଘଟିନଥାନ୍ତା । ମୁଁ ମୋ ପୁଅକୁ ହରାଇନଥାନ୍ତି ।ଆଉ ଏ ଚାକିରି ରହି ଲାଭ କ’ଣ?’ ବୋଲି କହିବା ସହ କାନ୍ଦିଥିଲେ । ପୁଲିସ ଅଧିକାରୀ ଆସି ତାଙ୍କୁ ବୁଝାସୁଝା କରିବା ପରେ ସେ ଘରକୁ ଫେରିଥିଲେ ।