ଆମ୍ବୁଲାନ୍ସରେ ଆଗେ ଆଗେ ଯାଉଥିଲା ବାପାଙ୍କ ଶବ । ପଛେ ପଛେ ସ୍କୁଟିରେ ଆସୁଥିବା ପୁଅ ବି ପାଲଟିଗଲା ଶବ । ଡକାଡକି ହୋଇ ସେପାରିକୁ ଚାଲିଗଲେ ବାପପୁଅ ।

766

କନକ ବ୍ୟୁରୋ: ଆଗେ ଆଗେ ବାପା, ପଛେ ପଛେ ପୁଅ । ମୃତ୍ୟୁ ଡାକିନେଲା ବାପପୁଅଙ୍କୁ… ଡକାଡକି ହୋଇ ସେପାରିକୁ ଚାଲିଗଲେ ବାପପୁଅ । ପ୍ରଥମେ ବାପା ଆଉ ପରେ ଆଖିବୁଜିଲେ ପୁଅ । ବାପାଙ୍କ ମୃତ୍ୟୁର ପର ଦିନ ହିଁ ପରପାରିକୁ ଚାଲିଯାଇଛି ପୁଅ । ଆଉ ଗୋଟିଏ ପରିବାରରେ ସମୟ ଖେଳିଛି ମୃତ୍ୟୁର ଖେଳ । କରୋନା କାଳରେ ଜୀବନ ନେଇନି ମହାମାରୀ ବରଂ ଏଠି ମୃତ୍ୟୁ ସାଜିଛି ସମୟ, କାଳ ସାଜିଛି ଭାଗ୍ୟ । ନିଷ୍ଠୁର ବିଧାତା ହିଁ ବାପାଙ୍କ ପରେ ପରେ ଜଣେ ୨୨ ବର୍ଷୀୟ ପୁଅର ଜୀବନ ଦୀପ ଲିଭାଇ ଦେଇଛି…

ନଜର ପକାନ୍ତୁ ଦୁର୍ଘଟଣାର ଏ ଛାତିଥରା ଦୃଶ୍ୟ ଉପରେ । କେମିତି ରାସ୍ତା ଉପରେ ଏକ ସ୍କୁଟିକୁ କାର୍ ଧକ୍କା ଦେଉଛି । ଆଉ ସ୍କୁଟିରେ ବସିଥିବା ଜଣେ ଯୁବତୀ ପାଖପାଖି ୧୦ ଫୁଟ ଯାଏଁ ଉଠି ଯାଉଛନ୍ତି । ଏବଂ କାର୍ ସହ ଅନ୍ୟ ବାଇକ ସବୁ ଦୁର୍ଘଟଣାଗ୍ରସ୍ତ ହେଉଛି । ଏ ଭୟଙ୍କର ଦୁର୍ଘଟଣା କେନ୍ଦ୍ରାପଡା ଛାତିରେ ଛନକା ପଶାଇଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ପଛର କାହାଣୀ ଜାଣିଲେ ପରେ ଆପଣ ସ୍ତବ୍ଧ ହୋଇଯିବେ, ସମୟକୁ ଧିକ୍କାର କରିବେ ଆଉ କହିବେ, କେଡେ ନିଷ୍ଠୁର ଏ ସମୟ…

କେନ୍ଦ୍ରାପଡା ରାଜକନିକା ଥାନା ଭାମଣ୍ଡା ଗାଁର ବଶିଷ୍ଟ ସାମଲ କ୍ୟାନ୍ସରରେ ପୀଡିତ ହେଉଥିଲେ । ତାଙ୍କ ମଝିଆ ପୁଅ ଢେଙ୍କାନାଳରେ ରହୁଥିବାରୁ ବାପାଙ୍କୁ ନେଇଯାଇଥିଲେ ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ବାପଙ୍କର ଦେହାନ୍ତ ହେବା ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ଆଣୁଥିଲେ ୩ ପୁଅ । ବାପାଙ୍କ ସହ ୨ ପୁଅ ଆମ୍ବୁଲାନ୍ସରେ ଆସୁଥିବା ବେଳେ ସାନପୁଅ ତାପସ ସ୍କୁଟିରେ ବାପାଙ୍କ ପଛ ପଛେ ଆସୁଥିଲେ । ହେଲେ କିଏ ଜାଣିଥିଲା ଏହି ପଛେ ପଛେ ଆସିବା ହିଁ ସତ ଜୀବନରେ ଘଟିଯିବ ବୋଲି । ବାପାଙ୍କ ପରେ ପରେ ପୁଅ ଚାଲିଯିବ ବୋଲି । ଏମିତି ଲାଗୁଥିଲା ବାପା ସାନ ପୁଅ ତାପସକୁ ନିଜ ପାଖକୁ ଡାକି ନେବାର ଇସାରା ଦେଇଥିଲେ..

ବାପାଙ୍କ ମୃତଦେହ ଧରି ଆମ୍ବୁଲାନ୍ସ ଆଗେ ଆଗେ ଯାଉଥିବା ବେଳେ କେନ୍ଦ୍ରାପଡା ନିକଟରେ ହିଁ ଏକ କାର ସହ ତାପସଙ୍କ ସ୍କୁଟି ଧକ୍କା ହୋଇଥିଲା । ପଛରେ ବସିଥିବା ତାଙ୍କ ଭଉଣୀ ଦୂରକୁ ଛିଟକି ପଡିଥିଲେ ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ବୁଧବାର ଦିନ ଶେଷ ବିଦାୟ ନେଇଛନ୍ତି ତାପସ । ବାପାଙ୍କ ମୃତ୍ୟୁର ଦିନକ ପରେ ଏମିତି ଏକ ଦୁର୍ଘଟଣା ଯେ ପୁଅକୁ ମାଆ ପାଖରୁ ଛଡାଇନେବ, ପରିବାରରେ ଶୂନ୍ୟସ୍ଥାନ ସୃଷ୍ଟି କରିବ ତାହା କେହି କେବେ କଳ୍ପନା କରି ନଥିଲେ । ଅସମୟରେ ଦୁହିଁଙ୍କ ମୃତ୍ୟୁ ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର… ଲୁହରେ ବତୁରିଛି ସମସ୍ତଙ୍କ ଛାତି, ଓଦା ହୋଇଛି ଆଖି…

ସେପଟେ ଅତି ଦୁଃଖର କଥା ହେଉଛି ବାପାଙ୍କ ଜୁଇ ଭଲରେ ଲିଭିନଥିବା ବେଳେ ସେହି ମଶାଣୀରେ, ସେହି ଜୁଇରେ ପୁଅର ଚିତା ଜଳିଛି । ଆଉ ବାପାପୁଅ ସାଙ୍ଗ ହୋଇ ସେପାରିକୁ ଚାଲିଯାଇଛନ୍ତି । ଏପଟେ ଭାଇକୁ ହରାଇ ବେହୋସ ହେଉଛି ଭଉଣୀ । ଭାଇ ତୁ ଫେରିଆ ଫେରିଆ କହି ଚିକ୍ରାର କରୁଛି… ହେଲେ ଭାଇ ଶୁଣୁନି କି ସେପାରିରୁ ଫେରୁନି… ସମୟର ଏ ନିଷ୍ଠୁରତା ପାଇଁ ଆଜି ସମସ୍ତଙ୍କ ଆଧରୁ ଲୁହ ଝରୁଛି, ଗାଁ ସାରା ଶୋକରେ ବୁଡିଛି…