କନକ ବ୍ୟୁରୋ: ମାକୁ ମାଡ ମାରି ଗିରଫ ହେଲା ଓକିଲ ପୁଅ । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପ୍ରଘଟ ହୋଇଛି ପଂଜାବର ଏହି ଛାତିଥରା ଘଟଣା । ଘର ଭିତରେ ବୃଦ୍ଧାଙ୍କୁ ମାଡ ମାରିଛନ୍ତି ତାଙ୍କ ପୁଅ, ବୋହୂ ଏବଂ ନାତି । ରୋଗୀଣା ମାଙ୍କୁ ଏଭଳି ମାଡ ମାରିବା ବେଳେ ବି ଟିକିଏ ପଶ୍ଚାତାପ କରୁନି ପୁଅ । ଆଉ ବୋହୂ ଏବଂ ନାତି କଥା ଛାଡନ୍ତୁ । ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ବାର୍ଦ୍ଧକ୍ୟ ରୋଗରେ ପୀଡିତ । ବିଭିନ୍ନ କାରଣ ପାଇଁ ପୁଅ-ବୋହୂ ଏହାକୁ ନେଇ ରାଗି ଯାଇଥିଲେ । ପରେ ବେଡ୍ ଉପରେ ନାତି ପାଣି ପକାଇ ଦେଇଥିଲେ । ବୃଦ୍ଧା ଜଣଙ୍କ ପରିସ୍ରା କରୁଥିବା ନାତି କହିଥିଲା । ଏହାପରେ ପୁଅ-ବୋହୂ ମାଡ ମାରିବା ଆରମ୍ଭ କରିଥିଲେ ।

Advertisment

ପଂଜାବ ରୋପଡ ଜିଲ୍ଲାର ଏହି ଘଟଣା ଅକ୍ଟୋବର ୧୯ ତାରିଖର । ପୁଅ ବୋହୂର ଅତ୍ୟାଚାର ବୃଦ୍ଧା ଜଣଙ୍କ ଝିଅ ଘରକୁ ଆସିଥିବା ବେଳେ କହିଥିଲେ । ଆଉ ସିସିଟିଭି ଫୁଟେଜ ଯାଞ୍ଚ କରି ଝିଅ ସେଦିନର ଲୋମଟାଙ୍କୁରା ଘଟଣାକୁ ନିଜ ଆଖିରେ ଦେଖିଥିଲେ । ପରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ବୃଦ୍ଧାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଇ ଚିକିତ୍ସା କରାଇଛି । ବୃ୍ଦ୍ଧାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବା ଜଣାପଡିଛି । ଅଭିଯୁକ୍ତ ପୁଅ ଅଙ୍କୁର ବର୍ମା ପେଶାରେ ଜଣେ ଓକିଲ ବୋଲି ଜଣାପଡିଛି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଜାବର ମହିଳା ବିକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।