କନକ ବ୍ୟୁରୋ: ବାପାର କଷ୍ଟର କାହାଣୀ କହିଲା ବେଳେ ବନ୍ଧବାଡ ମାନୁନି ପୁଅର ଲୁହ । ମୋ ବାପାଙ୍କୁ ବଞ୍ଚେଇ ଦିଅ, ମୋ ବାପାଙ୍କୁ ଭଲ କରିଦିଅ... ଏଇ ଦିପଦ କଥା କହିବା ବେଳେ ଦୁଇଧାର ଲୁହ ଝରିଆସୁଛି ତା ନିରିହ ଆଖିରୁ । ପୁଅର ଏ ବେଦନରୁ ଜାଣି ହେଉଛି ତା ବାପା କେତେ ଯନ୍ତ୍ରଣା ପାଉଥିବେ, କେତେ କ୍ୟାନସରର କବଜାରେ ରହି କେତେ କଲବଲ ହେଉଥିବେ... ଏଇ ଲୁହ ନିଗାଡିବା ଛଡା କୁନି ପୁଅ ପାଖରେ କଣ ବା ଅଛି, ବାପାଙ୍କୁ ଭଲ କରିବାକୁ ସେ ବା କଣ କରିପାରିବ । ନା ମୁଲଲାଗିପାରିବ ନା କାହା ପାଖେ ହାତ ପାତିପାରିବ । ଭଗବାନଙ୍କ ଭରସାରେ ଆଖିର ଲୁହକୁ ଓଠରେ ପିଇବ...
ପୁରୀ ହାଡଗଡିଆ ସାହିର ଲୋକନାଥ ସାହୁ । ବୟସ ୪୫, ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଲୋକନାଥଙ୍କ ପରିବାର । ଦୁଇଟି ପୁଅ ଗୋଟିଏ ଝିଅ ଓ ସ୍ତ୍ରୀ । ଦୀର୍ଘ ୪ ବର୍ଷ ହେବ ଲୋକନାଥଙ୍କୁ କ୍ୟାନସର । ଡାହାଣ ଗୋଡରେ କ୍ୟାନସର ହେବା ଫଳରେ ଗୋଡ କାଚିବାକୁ ପଡିଲା । ଗୋଟିଏ ଗୋଡ ହରାଇବା ପରେ ବି ଦେହ ଜମା ଭଲହେଉନି । ବରଂ ଅଧିକରୁ ଅଧିକ ହେଉଛି । ତେଣୁ ଜୀବନକୁ ନେଇ ବ୍ୟଥିତ ହୋଇପଡିଥିବା ଲୋକନାଥ କେମିତି ପରିବାର ଚଳିବ ସେଇ ଚିନ୍ତାରେ ।
ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ କିନ୍ତୁ ସ୍ଥିତି କିଛି ସୁଧୁରିଲାନି । ପରେ ପୁରୀ ହସ୍ପିଟାଲରେ ଦେଖାଉଥିଲେ ବି ସେଠାକାର ଡାକ୍ତର ଦୂରଦୂର ଖିନଖିନ କରିବା ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଲୋକନାଥଙ୍କ ପତ୍ନୀ । ପୁରୀରୁ ନିରାସ ହେବା ପରେ କଟକ କ୍ୟାନ୍ସର ହସ୍ପିଟାଲ ନେଇଥିଲେ ବି ସେଠାରେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ତେଣୁ ଏତେ ପଇସା କେଉଁଠୁ ଆସିବ, ବାଧ୍ୟ ହୋଇ ସ୍ୱାମୀଙ୍କୁ ଘରେ ରଖି କାନ୍ଦ ବୋବାଳିରେ ଦିନ କାଟୁଛନ୍ତି ପତ୍ନୀ ସବିତା ।
ଚିକିତ୍ସା ପାଇଁ ତ ଟଙ୍କା ଅଣ୍ଟୁନି ପେଟ ପାଇଁ କେଉଁଠୁ ବଳିବ । ତେଣୁ ଅନେକ ସମୟରେ ମାଆ ସହ ଉପାସରେ ରୁହନ୍ତି ଏ କଅଁଳ କଢି । ତେଣୁ ବାପାଙ୍କୁ ଭଲ କରିଦେବାକୁ ସରକାରହ୍କୁ ଗୁହାରୀ କରିଛି ଏ କୁନି ପୁଅ । ତେବେ କଟକ ଭୁବନେଶ୍ୱରରେ କେତେ କେତେ ହସ୍ପିଟାଲ ଅଛି, କେତେ କେତେ ଡାକ୍ତର ବି ଅଛନ୍ତି । ଯଦି କ୍ୟାନ୍ସରର ଏ କରୁଣ କାହାଣୀ ଶୁଣି କେହି ସହୃଦୟ ଡାକ୍ତର ଲୋକନାଥଙ୍କୁ ମାଗଣାରେ ଚିକିତ୍ସା କରନ୍ତେ କି ତାଙ୍କ ଦୁଃଖ ଶୁଣନ୍ତେ ତେବେ ବିଚରା ଅସହାୟ ପରିବାରର ମୁହଁରେ ହସ ଫୁଟନ୍ତା ।