କନକ ବ୍ୟୁରୋ: ମା’ ଙ୍କ ସ୍ମୃତିରେ ପୁଅ ଗଢିଲା ଦ୍ୱିତୀୟ ତାଜମହଲ । ତାମିଲନାଡୁରେ ଏଭଳି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହାକୁ ଗଢିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ତାଙ୍କ ପାଇଁ ମା’ ଥିଲେ ସାରା ଦୁନିଆଁ । ଯେତେବେଳେ ମା’ଙ୍କର ସ୍ୱର୍ଗବାସ ହେଲା ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ତାଙ୍କ ସ୍ମୃତିରେ ତାଜମହଲ ଆକୃତିର ଏକ ଭବ୍ୟ ମହଲ ନିର୍ମାଣ କରାଇଲେ ।

Advertisment

publive-image

ମୋଗଲ ସମ୍ରାଟ ଶାହାଜାହାନ୍ ପତ୍ନୀ ମମତାଜଙ୍କ ପାଇଁ ଆଗ୍ରାଠାରେ ଯମୁନା ନଦୀ କୂଳରେ ତାଜମହଲ ନିର୍ମାଣ କରାଇଲେ । ଯାହା ସାରା ବିଶ୍ୱରେ ଥିବା ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ । ହେଲେ ଏଠି ଜଣେ ପୁଅ ତାଙ୍କ ମା’ ପାଇଁ ବନାଇଛନ୍ତି ଦ୍ୱିତୀୟ ତାଜମହଲ । ତାମିଲନାଡୁ ତୁରୁବରୁର ଜିଲ୍ଲା ବାସିନ୍ଦର ଅମରୁଦ୍ଦିନ୍ ଶେଖ ଦାଉଦ ନାମକ ଏହି ବ୍ୟକ୍ତି ଜଣକ ଏହି ମହଲ ନିର୍ମାଣ କରାଇଛନ୍ତି ।
ସୂଚନା ମୁତାବକ, ୨୦୨୦ରେ ଅମରୁଦ୍ଦିନଙ୍କ ମା’ ଜେଲାନୀ ବିବିଙ୍କର ଦେହାନ୍ତ ହୋଇଥିଲା । ହେଲେ ଦୀର୍ଘ ଦିନ ଧରି ଅମରୁଦ୍ଦିନ୍ ମା’ଙ୍କୁ ହରାଇବାର ଦୁଃଖରୁ ବାହାରିପାରିନଥିଲେ । କାରଣ ମା’ ହିଁ ତାଙ୍କ ପାଇଁ ସବୁକିଛି ଥିଲେ । publive-image

ଅମରୁଦ୍ଦିନଙ୍କ କହିବା ଅନୁସାରେ, ତାଙ୍କ ମା’ ତାଙ୍କ ପାଇଁ ଶକ୍ତି ଓ ପ୍ରେମର ପ୍ରତୀକ ଥିଲେ । ୧୯୮୯ରେ ଏକ କାର ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇବା ପରେ ୫ଜଣ ପିଲାଙ୍କ ଯତ୍ନ ନେଇ ସେମାନଙ୍କୁ ମଣିଷ କରିବା ଛୋଟ କଥା ନଥିଲା । ସେତେବେଳକୁ ମା’ ଜେଲାନୀ ବିବିଙ୍କୁ ମାତ୍ର ୩୦ ବର୍ଷ । ସେତେବେଳେ ଅମରୁଦ୍ଦିନ୍ ଓ ତାଙ୍କ ଭାଇ ଭଉଣୀ ବହୁତ ଛୋଟ ଥିଲେ । ସେମାନଙ୍କୁ ବଡ କରିବାକୁ ମା’ ବହୁ ସଂଘର୍ଷ କରିଥିଲେ । ଉଭୟ ବାପା, ମା’ଙ୍କ ଭୂମିକା ନିର୍ବାହ କରିଥିଲେ ଏକୁଟିଆ ମା’ । ହେଲେ ୨୦୨୦ରେ ଯେତେବେଳେ ସେ ଚାଲିଗଲେ ଅମରୁଦ୍ଦିନଙ୍କ ଉପରେ ଯେପରି ଆକାଶ ଛିଡି ପଡିଥିଲା । ସାଧାରଣ ଶ୍ମଶାନରେ କବର ନଦେଇ ତିରୁବରୁରରେ ଥିବା ତାଙ୍କ ନିଜ ଜମିରେ କବର ଦେଇଥିଲେ । ଏହାପରେ ଏହି ଜମିରେ ମା’ଙ୍କ ସ୍ମୃତିରେ ଏକ ଭବ୍ୟ ମହଲ ନିର୍ମାଣ କରିବାକୁ ଇଚ୍ଛା କଲେ । ଏପରି କରି ସେ ପ୍ରତ୍ୟେକ ସନ୍ତାନସନ୍ତତିଙ୍କୁ ବାପା, ମା’ ଜୀବନରେ କେତେ ମୂଲ୍ୟବାନ ତାହା ଶିକ୍ଷା ଦେବାକୁ ଚାହାଁନ୍ତି ବୋଲି କହିଛନ୍ତି ଅମରୁଦ୍ଦିନ୍ ।