କନକ ବ୍ୟୁରୋ : ବୟସ ୭୦ ଟପି ଗଲାଣି । ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୁଢୀ ମା । ଆଖିରୁ ଲୁହ ଝରି ଆସୁଛି । କୋହଭରା କଣ୍ଠରେ ହସ୍ପିଟାଲ ବେଡରେ ବୁଢୀ ମା କହୁଛନ୍ତି ପୁଅ ଜନ୍ମକରି ବୋଧହୁଏ ଭୁଲ୍ ହୋଇଗଲା । ପୁଅର ମାଡରେ ଛଟପଟ ହେଉଥିବା ମା’ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି । ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମା’କୁ ମିଳିଥିବା ବାର୍ଦ୍ଧକ୍ୟ ଭତା ଟଂକା ମାଗିଥିଲା ପୁଅ । ହେଲେ ମା’ ଟଂକା ନଦେବାରୁ ପୁଅ ଭୁଲିଗଲା ମା’ର ମମତା । ଭତା ଟଂକା ପାଇଁ ମାରି ମାରି ଦରମଲା କରି ଦେଇଛି ଜଣେ କୁଳାଙ୍ଗାର ପୁଅ । ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ଜୟପୁର ପଂଚାୟତର ପଢାଳ ଗାଁରେ । ସୂଚନା ଅନୁସାରେ ପଢାଳ ଗାଁର ଦେବକି ରାଉତଙ୍କୁ ତାଙ୍କ ସାନ ପୁଅ ପମୋଦ ରାଉତ ପ୍ରଥମେ ଭତା ଟଂକା ମାଗିଥିଲେ । ଭତା ଟଂକା ନଦେବାରୁ ଅତି ନିର୍ଦ୍ଦୟ ଭାବରେ ପିଟିଥିଲେ । ପିଟିପିଟି ହାତ ଭାଂଗି ଦେଇଥିବା ବେଳେ ବୃଦ୍ଧାଙ୍କ ଅଂଟାରେ ମଧ୍ୟ ଆଘାତ ଲାଗିଛି । ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା ମାକୁ ଘରେ ଛାଡି ଦେଇ କୁଆଡେ ଚାଲିଯାଇଥିଲେ । ବଡ ପୁଅ ରଂଜନ ରାଉତଙ୍କୁ ହସ୍ପିଟାଲ ନେବାକୁ ଅନୁରୋଧ କରିଥିଲେ ମା । ହେଲେ ମେଡିକାଲ ନେବା ପରିବର୍ତେ ବଡ ଝିଅ ଘରେ ଛାଡି ଆସିଥିଲା ପୁଅ । ଝିଅମାନଙ୍କ ସହାୟତାରେ ବୃଦ୍ଧା ମାଙ୍କୁ ଆସକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଜନ୍ମ କରିଥିବା ମା ଯେମିତି ପୁଅ ପାଇଁ ଅଲୋଡା ହୋଇଯାଇଛି । ଏମିତିକି ହସ୍ପିଟାଲ ନେବା ପାଇଁ ପୁଅ ମାନଙ୍କ ପାଖରେ ସମୟ ହେଲାନି । ଆଉ ଏହି ଦୁଃଖରେ ବୁଢୀ ମା କହୁଛନ୍ତି, ସବୁ କରିବ ପୁଅ ଜନ୍ମ କରିବନି ।