ମୋଦୀ ସରକାରରେ ପୁଅ ମନ୍ତ୍ରୀ, ବିଲରେ ଦିନ ମଜୁରିଆ ଭାବେ ଖଟୁଛନ୍ତି ବାପା-ମା’ । ଜାଣନ୍ତୁ କିଏ ସେହି ମନ୍ତ୍ରୀ ଓ କଣ ରହିଛି ଏହା ପଛର ପୂରା କାହାଣୀ?

275

କନକ ବ୍ୟୁରୋ : କାନ୍ଧରେ କୋଦାଳ, ମୁଣ୍ଡରେ ଗାମୁଛା । ବିଲରେ ଚାଲିଛି ଝାଳବୁହା ପରିଶ୍ରମ । ତେବେ ବିଲରେ ଝାଳ ବୁହାଉଥିବା ଏହି ବୃଦ୍ଧ ଦମ୍ପତିଙ୍କ ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏହି ଦମ୍ପତି ହେଉଛନ୍ତି ନୂଆ କରି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଲୋକନାଥନ ମୁରୁଗାନଙ୍କ ବାପା ମା’ । କେନ୍ଦ୍ରମନ୍ତ୍ରୀଙ୍କ ବାପା-ମା’ ପୁଣି ବିଲରେ, ଆଉ ତାହା ବି ପୁଣି ଦିନ ମଜୁରିଆ ଭାବେ । କଥାଟା ଆପଣଙ୍କୁ ଚକିତ କରୁଥିବ କିନ୍ତୁ ବାସ୍ତବରେ ଏହା ସତ । ରାଜନୀତି କରୁଥିବା ପ୍ରତିଟି ବ୍ୟକ୍ତିର ପରିବାର ଯେ ବିଳାସବ୍ୟସନରେ ଜୀବନ କାଟନ୍ତି ତାହାକୁ ଏମାନେ ଭୁଲ ପ୍ରମାଣିତ କରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନଙ୍କ ବାପା ଲୋକନାଥନ, ମା’ ଏଲ ବରୁଦାମ୍ମଲ । ଏମାନଙ୍କୁ ପ୍ରତିଦିନ ପର ଜମିରେ ଦିନ ମଜୁରିଆ ଭାବେ କାମ କରୁଥିବାର ଦେଖିବାକୁ ମିଳେ । ଯେଉଁଦିନ କାମ ନଥାଏ ସେହିଦିନ ବଜାରରେ କୁଲି କାମ ମଧ୍ୟ କରିଥାନ୍ତି । ତେବେ ପୁଅ କେନ୍ଦ୍ରମନ୍ତ୍ରୀ ହେବା ପରେ ବି ସେମାନଙ୍କର ସ୍ୱଭାବରେ ଟିକିଏ ପରିବର୍ତ୍ତନ ହୋଇନି । ବଡ ଘରେ ଆରାମରେ ରହିବା, ବିଳାସ ବ୍ୟସନରେ ଜୀବନ କାଟିବା ପରିବର୍ତ୍ତେ ପରିଶ୍ରମ କରିବା ଓ କାହା ଉପରେ ବୋଝ ନ ହେବାକୁ ଯେପରି ଆଦରି ନେଇଛନ୍ତି ମୁରଗାନଙ୍କ ବାପା, ମା’ । ଗାଁରେ ଥିବା ସେହି ଛୋଟ ଘରେ ଜୀବନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏମିତି ନୁହେଁ ଯେ, ମନ୍ତ୍ରୀ ପୁଅ ବାପା, ମା’ଙ୍କୁ ପାଖରେ ରଖିବାକୁ ଚାହୁଁନାହାନ୍ତି, ବରଂ ସହର ନୁହେଁ ଗାଁକୁ ଭଲ ପାଇଛନ୍ତି ଏମାନେ । ସେଥିପାଇଁ ତ ପୁଅ ମୁରୁଗାନ ନିଜ ପାଖରେ ରଖିବାକୁ ସହରକୁ ନେଇ ଯାଇଥିଲେ ମଧ୍ୟ ମାତ୍ର କିଛି ଦିନ ମଧ୍ୟରେ ପୁଣି ଗାଁକୁ ଫେରି ଆସିଥିଲେ ବାପା, ମା’ । କାରଣ ସହରୀ ଢାଞ୍ଚା ସହ ଖାପ ଖୁଆଇ ପାରିନଥିଲେ ମୁରୁଗାନଙ୍କ ବାପା ଓ ମା ।

ମୁରୁଗାନଙ୍କ ବାପା ଓ ମା’ଙ୍କ ସରଳ ଜୀବନ ଯାପନର ଆଉ ଏକ ଝଲକ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ପୁଅ ମନ୍ତ୍ରୀ ହେବ ବୋଲି ସେମାନେ ଜାଣିବାକୁ ପାଇଥିଲେ । ବିଲରେ କାମ କରୁଥିବା ବେଳେ ପୁଅ ମନ୍ତ୍ରୀ ହୋଇଛି ଖବର ପାଇଥିଲେ ମଧ୍ୟ ସେତେଟା ପ୍ରତିକ୍ରିୟାଶୀଳ ହୋଇନଥିଲେ । ଆଉ ଯାହା ଉତ୍ତର ଦେଇଥିଲେ ତାହା ବେଶ ହୃଦୟସ୍ପର୍ଶୀ ଥିଲା । ବାପା ଓ ମା’ ହିସାବରେ ଖୁସି ହୋଇଥିଲେ ସତ କିନ୍ତୁ ପୁଅ ମନ୍ତ୍ରୀ ହେବା ପଛରେ ସେମାନଙ୍କର କୌଣସି ଅବଦାନ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ମୁରୁଗାନ ଯେଉଁ ସଫଳତା ପାଇଛନ୍ତି ତାହା ନିଜ ପରିଶ୍ରମ ବଳରେ ବୋଲି ତାଙ୍କ ବାପା ମା’ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନଙ୍କ ସଫଳତା ପଛରେ ସଂଘର୍ଷମୟ କାହାଣୀ ମଧ୍ୟ ରହିଛି । ତାମିଲନାଡୁ ନମକଲା ଜିଲ୍ଲା କନ୍ନୁରର ଗରିବ ପରିବାରରେ ମୁରୁଗାନଙ୍କ ଜନ୍ମ । ପିଲାଟିବେଳୁ ମେଧାବୀ ଛାତ୍ର ଥିବା ମୁରୁଗାନ ଗାଁରେ ପାଠ ପଢା ଶେଷ କରିବା ପରେ ଆଇନ ପାଠ ପଢିବାକୁ ଚେନ୍ନାଇ ଆସିଥିଲେ । ସେତେବେଳେ ଧାରକରଜ କରି ପାଠ ପଢିଥିଲେ ମୁରୁଗାନ । ଏହାପରେ ରାଜନୀତିରେ ପାଦ ଦେଇଥିଲେ, ଆଉ ୨୦୨୦ରେ ତାମିଲନାଡୁ ବିଜେପି ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଚର୍ଚ୍ଚାକୁ ଆସିଥିଲେ ମୁରୁଗାନ୍ । ଆଉ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ବାପା ଓ ମା’ ଏବେ ଚର୍ଚ୍ଚାରେ ରହିଛନ୍ତି ।